କେନ୍ଦ୍ରରେ କଂଗ୍ରେସ ସରକାର କଲେ ବନ୍ଦ ହେବ ଅଗ୍ନିପଥ ଯୋଜନା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଯଦି କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସେ, ତା’ହେଲେ ସେନାରେ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କରିଥିବା ‘ଅଗ୍ନିପଥ’ ଯୋଜନାକୁ ବନ୍ଦ କରି ଦେବ। ଶୁକ୍ରବାର ଏଭଳି ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରିୟଙ୍କା ଏହି କଥା କହିଥିଲେ। ସେ କହିଥିଲେ, ହିମାଚଳ ପ୍ରଦେଶରୁ ବହୁ ଯୁବକ ସେନାରେ ଭର୍ତ୍ତି ହୁଅନ୍ତି। କିନ୍ତୁ ଅଗ୍ନିପଥ ଯୋଜନା ସେମାନଙ୍କ ଯୋଜନାକୁ ନଷ୍ଟ କରି ଦେଇଛି। ଯେଉଁମାନେ ଏହି ଯୋଜନାରେ ସେନାରେ ଭର୍ତ୍ତି ହେବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ୪/୫ ବର୍ଷ ପରେ ବେକାର ହୋଇଯିବେ। ତେଣୁ କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କଲେ ଏହି ଯୋଜନାକୁ ବନ୍ଦ କରି ଦେବ।

ପ୍ରିୟଙ୍କା କହିଥିଲେ, ଆମେ ଯାହା ପ୍ରତିଶ୍ରୁତି ଦେଉ, ତାହା ପୂରଣ କରୁ। ଛତିଶଗଡ଼ରେ ଆମେ ଚାଷୀଙ୍କୁ ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ। ନିର୍ବାଚନ ଜିତି ସରକାର ଗଠନ କରିବା ପରେ ଆମେ ସେହି ପ୍ରତିଶ୍ରୁତି ପୂରଣ କଲୁ। ହିମାଚଳ ପ୍ରଦେଶରେ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ କଂଗ୍ରେସ ଗ୍ୟାରେଣ୍ଟି ଦେଉଛି। ଏଠାରେ ସରକାର ଗଠନ କଲେ ପ୍ରଥମ କ୍ୟାବିନେଟ୍ ବୈଠକରେ ଏକ ଲକ୍ଷ ଯୁବକଯୁବତିଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ। ଏହିପରି ୫ ବର୍ଷରେ ୫ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ। ଏହିକ୍ରମରେ ହିମାଚଳ ପ୍ରଦେଶର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୬୩ ହଜାର ସରକାରୀ ପଦପଦବୀରେ ମଧ୍ୟ ନିଯୁକ୍ତି ଦିଆଯିବ।

ସୂଚନାଯୋଗ୍ୟ, ଅନେକ ବିରୋଧୀ ଦଳ ‘ଅଗ୍ନିପଥ’ ବିରୋଧରେ ସେମାନଙ୍କ ମତ ଦେଇଥିଲେ ହେଁ, ସରକାର ଏହାକୁ ପ୍ରତ୍ୟାହାର କରି ନେବାକୁ ମନା କରି ଦେଇଥିଲେ।

Leave a Reply

Your email address will not be published. Required fields are marked *