ଗୁଟଖା ବିଜ୍ଞାପନ ପାଇଁ କ୍ଷମା ମାଗିଲେ ଅକ୍ଷୟ କୁମାର, କହିଲେ ସମସ୍ତ ଆୟ ଜନକଲ୍ୟାଣରେ ଲାଗିବ

Top Storise ରାଜ୍ୟ

ଭୁବନେଶ୍ୱର: ଗଣମାଧ୍ୟମରେ ବଡ଼ ବଡ଼ ଦମ୍ଭିଲା କଥା କହୁଥିବା ଅକ୍ଷୟ କୁମାର ଆଜି ସେହି କଥା ପାଇଁ କ୍ଷମା ମାଗିଛନ୍ତି । କେତେ ସଂସ୍ଥା ତାଙ୍କୁ ମାତ୍ରାଧିକ ଟଙ୍କା ଅଫର୍ କରୁଛନ୍ତି ଗୁଟଖା ବିଜ୍ଞାପନ କରିବା ପାଇଁ । କିନ୍ତୁ ତାଙ୍କର ଏକ ନୈତିକତା ଅଛି । ଟଙ୍କା ପାଇଁ ଅକ୍ଷୟ କେବେ ଏମିତି ଭୁଲ୍ କରିପାରିବେନି ବୋଲି ଦିନେ କହିଥିଲେ ।

କିନ୍ତୁ ଗତ ପାଞ୍ଚ ଦିନରେ ‘ବିମଲ ଇଲାଇଚି’ ବିଜ୍ଞାପନ କରି ଅକ୍ଷୟ ଯେଉଁଭଳି ନୈତିକ ଠେସା ଖାଇଲେଣି । ତାକୁ ସମ୍ଭାଳି ନ ପାରି ଗୁରୁବାର ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ପ୍ରଶଂସକଙ୍କ ସମାଲୋଚନା ତାଙ୍କୁ ଗଭୀର ପ୍ରଭାବିତ କରିଛି । ଆଗକୁ ସେ ଏଭଳି ଭୁଲ୍ କରିବେନି । କିନ୍ତୁ ଏହି ବିଜ୍ଞାପନଟି ବନ୍ଦ ହୋଇପାରିବନି ।

ଯେହେତୁ ସେ ଚୁକ୍ତି ଅନୁଯାୟୀ ପ୍ରାପ୍ୟ ନେଇସାରିଛନ୍ତି । ଏବଂ ଚୁକ୍ତି ମୁତାବାକ ଭିଡିଓଟି ନିର୍ଦ୍ଧିଷ୍ଟ କିଛି ଦିନ ପାଇଁ ଚାଲିବ । କିନ୍ତୁ ଏଥିରୁ ଆସିଥିବା ଟଙ୍କା ସେ ଜନକଲ୍ୟାଣରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି ।

ବିଜ୍ଞାପନଟି ଯେଉଁଦିନରୁ ଚାଲିଲାଣି, ଅକ୍ଷୟଙ୍କ ଏକ ପୁରୁଣା ଭିଡିଓ ଟି ମଧ୍ୟ ତା ସହ ସୋସିଆଲ ମିଡିଆରେ ବୁଲୁଛି । ଯେଉଁଥିରେ ସେ କେବେ ଗୁଟଖା ବିଜ୍ଞାପନ କରିବେନି ବୋଲି ମନା କରୁଛନ୍ତି । ତାଙ୍କୁ ବଡ଼ ବଡ଼ ଗୁଟଖା କମ୍ପାନୀ କୋଟି କୋଟି ଟଙ୍କା ଯାଚୁଛନ୍ତି । ହେଲେ ସେ ଏଭଳି ଭୁଲ୍ କେବେ କରିବେନି ବୋଲି ମିଡିଆକୁ କହୁଛନ୍ତି ।

ଏହି ଭିଡିଓକୁ ଏବେର ବିଜ୍ଞାପନ ସହ ଯୋଡ଼ି ଟ୍ରଲ୍ ବା ସୋସିଆଲ ମିଡିଆ ସମାଲୋଚକ ଅକ୍ଷୟଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ଅନ୍ୟପଟେ ମେମର ମାନଙ୍କ ପାଇଁ ଅକ୍ଷୟ ବନିଯାଇଛନ୍ତି ଲୋକପ୍ରିୟ ମାଟେରିଆଲ୍ । ଧୁମ୍ ଭାଇରାଲ ହେଉଛି, ଅକ୍ଷୟଙ୍କୁ ନେଇ ହେଉଥିବା ମିମ୍, ଷ୍ଟିକର, ଜିଫ୍ ।

ଜନକଲ୍ୟାଣକାରୀ କାମରେ ଟଙ୍କା ଖର୍ଚ୍ଚ କରିବାକୁ ଲୋକେ ବଦହଜମ କରିଦେଇଛନ୍ତି । ବିଜ୍ଞାପନର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଗୁଟଖା ଉତ୍ପାଦର ପ୍ରଚାର ପ୍ରସାର । ହେଲେ ଏବେ ଗରିବଙ୍କୁ ଟଙ୍କା ବାଣ୍ଟିଦେଲେ, ବିଜ୍ଞାପନର ପ୍ରଭାବ କମିଯିବ କି? ଯଦି ଏଭଳି ପ୍ରଭାବଶାଳୀ ଅଭିନେତା ଗୁଟଖା, ପାନ ମସଲା ଆଦି ଜିନିଷର ପ୍ରଚାର ପ୍ରସାର କରିବେ ଆମେ ଶତ ଚେଷ୍ଟା କଲେ ବି ନିଶାମୁକ୍ତ ବା ତମ୍ବାଖୁ ମୁକ୍ତ ହୋଇପାରିବାନି ବୋଲି ଲୋକେ ସୋସିଆଲ ମିଡିଆରେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *