ଦେଶରେ ପ୍ରଥମ: ହିନ୍ଦୀରେ ପିଲା ପଢ଼ିବେ ମେଡିକାଲ ପାଠ

Top Storise ଦେଶ- ବିଦେଶ

ଭୋପାଲ: ଦେଶର ମେଡିକାଲ ପାଠ୍ୟକ୍ରମ୍ୟ ବା ଏମବିବିଏସ୍‌ରେ ପୂର୍ବରୁ ଯାହା ହୋଇ ନଥିଲା, ସେକଥା ପ୍ରଥମଥର ପାଇଁ ମଧ୍ୟପ୍ରଦେଶରେ ହେବାକୁ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ମଧ୍ୟପ୍ରଦେଶର ସମସ୍ତ ୧୩ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍‌ର ୩ଟି ବିଷୟ ହିନ୍ଦୀ ଭାଷାରେ ପିଲାମାନଙ୍କୁ ପଢ଼ାଯିବ।

ଆନାଟୋମୀ, ଶରୀର ବିଜ୍ଞାନ ଓ ଜୈବ ରସାୟନ ପାଠକୁ ଏମବିବିଏସ୍‌ର ପ୍ରଥମ ବର୍ଷର ପିଲାମାନେ ହିନ୍ଦୀ ଭାଷାରେ ପଢ଼ିବେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅକ୍ଟୋବର ୧୬ ଅର୍ଥାତ ଆସନ୍ତାକାଲି ମଧ୍ୟପ୍ରଦେଶରେ ହିନ୍ଦୀ ଭାଷାରେ ମେଡିକାଲ ଶିକ୍ଷାର ଶୁଭାରମ୍ଭ କରିବେ। ଏହି ଅବସରରେ ସେ ଅନୁବାଦ ହୋଇଥିବା ଏମବିବିଏସ୍‌ ପ୍ରଥମ ବର୍ଷର ବହି ମଧ୍ୟ ଉନ୍ମୋଚନ କରିବେ।

ହିନ୍ଦୀ ଭାଷାରେ ମେଡିକାଲ ଶିକ୍ଷା ଆରମ୍ଭ ହେବା ସମ୍ପର୍କରେ ସୂଚନା ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ମେଡିକାଲ ଓ ଇଞ୍ଜିନିୟର ପାଠ୍ୟକ୍ରମ ହିନ୍ଦୀ ଭାଷାରେ ପଢ଼ା ଯାଇ ପାରିବ ନାହିଁ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବାକୁ ଯାଉଛି। ହିନ୍ଦୀରେ ଶିକ୍ଷା ଲାଭ କରିଥିବା ଜଣେ ଶିକ୍ଷାର୍ଥୀ ମଧ୍ୟ ଜୀବନରେ ଅନେକ ଦୂରକୁ ଯାଇପାରିବେ। ଏହା ସେ ଦିଗରେ ଗୋଟିଏ ପଦକ୍ଷେପ। ଜଣଙ୍କ ମାତୃଭାଷା ହିଁ ତାଙ୍କ ଶିକ୍ଷାର ମାଧ୍ୟମ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଥିଲେ, ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ମେଡିକାଲ ପାଠ୍ୟକ୍ରମ ବହିର ହିନ୍ଦୀ ଅନୁବାଦ ପାଇଁ ଚଳିତ ବର୍ଷ ଫେବୃଆରୀ ମାସରେ ସ୍ୱତନ୍ତ୍ର ଭାବେ ଗୋଟିଏ ହିନ୍ଦୀ ସେଲ ମନ୍ଦର ଗଠନ କରାଯାଇଥିଲା। ଭୋପାଲରେ ଥିବା ଗାନ୍ଧି ମେଡିକାଲ କଲେଜରେ ଏହି ସେଲକୁ ତିଆରି କରି ବିଧିବଦ୍ଧ ଭାବେ ଅନୁବାଦ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିଲା। ଏହି ଟାସ୍କଫୋର୍ସରେ ମେଡିକାଲ କ୍ଷେତ୍ର ସହ ବିଶେଷଜ୍ଞମାନେ ରହିଥିଲେ। ୯୭ ଜଣ ମେଡିକାଲ କଲେଜ ଶିକ୍ଷକ ଓ ବିଶେଷଜ୍ଞମାନେ ୫,୫୬୮ ଘଣ୍ଟା ଧରି ପରିଶ୍ରମ କରିବା ପରେ ହିନ୍ଦୀରେ ବହିଗୁଡ଼ିକୁ ଅନୁବାଦ କରାଯାଇଛି।

ରାଜ୍ୟର ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି, ଇଂରାଜୀ ସହ ହିନ୍ଦୀ ବହି ମିଳିବ। କିନ୍ତୁ ଟେକ୍ନିକାଲ ଶବ୍ଦ ଗୁଡ଼ିକ ହିନ୍ଦୀ ବହିରେ ମଧ୍ୟ ଇଂରାଜୀରେ ଉଲ୍ଲେଖ ରହିବ। ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବେ ମେଡିକାଲ ଶିକ୍ଷା ହିନ୍ଦୀରେ ଆରମ୍ଭ କରିବାକୁ ଯାଉଛି। ଏହି ପାଇଲଟ ପ୍ରୋଜେକ୍ଟ ଗାନ୍ଧି ମେଡିକାଲ କଲେଜରୁ ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷରେ ଆନାଟୋମୀ, ଶରୀର ବିଜ୍ଞାନ ଓ ଜୈବ ରସାୟନ ପାଠକୁ ଏମବିବିଏସ୍‌ର ପ୍ରଥମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ହିନ୍ଦୀ ଭାଷାରେ ପଢ଼ାଯିବ। ଆସନ୍ତା ବର୍ଷ ଦ୍ୱିତୀୟ ବର୍ଷ ଏମବିବିଏସ୍‌ ଶିକ୍ଷାର୍ଥୀଙ୍କ ପାଇଁ ସମାନ ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *