‘ଅହଙ୍କାର ଏବଂ ଅବହେଳା ପାଇଁ ଜଗନ୍ନାଥ ପ୍ରେମୀ କ୍ଷତି ସହୁଛନ୍ତି’

Top Storise ରାଜ୍ୟ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ତିଆରି ହେଉଛି ବୋଲି ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି । ଏହାପରେ ବିରୋଧୀ ବିଜେପି ଫ୍ରଣ୍ଟଫୁଟକୁ ଆସି ରାଜ୍ୟ ସରକାରକୁ ଘେରିଛି । ଏବେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରେସମିଟ୍ କରି ଉଭୟ ଏଏସଆଇ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଅହଙ୍କାର ଏବଂ ଏଏସଆଇର ଅବହେଳା ପାଇଁ କାଳିଆପ୍ରେମୀ କ୍ଷତି ସହୁଛନ୍ତି ବୋଲି କହିଛନ୍ତି।

ବିଜୟ ମହାପାତ୍ର କହିଛନ୍ତି, ଏପରି କାମ ପାଇଁ ରାଜ୍ୟ ସରକାର ଯେତିକି ଦାୟୀ ସମପରିମାଣରେ ଏଏସଆଇ ମଧ୍ୟ ଦାୟୀ । ସେ କହିଛନ୍ତି ଯଦି ବେଆଇନ ଭାବରେ ପୁରୀରେ କାମ ହେଉଥିଲା ତାହେଲେ ଏଏସଆଇ କାହିଁକି ତଦାରଖ କରିନଥିଲେ। ଯେଉଁ ଅଞ୍ଚଳରେ ନିର୍ମାଣ ହେଉଛି ତାହା ଏଏସଆଇର ପରିଧି ଭିତରେ ରହିଛି । ତେଣୁ ଏବେ ଖନନ କାମ ଶେଷ ହେବା ପରେ ହାଇକୋର୍ଟରେ ଯାଇ ଏଏସଆଇ ସତ୍ୟପାଠ ଦାଖଲ କରିବାର ମାନେ କଣ ବୋଲି ବିଜୟ ମହାପାତ୍ର କହିଛନ୍ତି । ଏପରି କରି ଏଏସଆଇ ନିଜ ଦାୟୀତ୍ୱହୀନତାର ପରିଚୟ ଦେଇଛି। ହାଇକୋର୍ଟରେ ଏଏସଆଇ ପ୍ରଥମେ ଚୁପ ରହିଲା, ତାପରେ 15 ଦିନ ସମୟ ମାଗିଲା କାହିଁକି ବୋଲି ପଚାରିଛନ୍ତି ବିଜୟ । ସେହିପରି ଯଦି ବେଆଇନ କାମ ହୋଇଛି ବୋଲି ଏସଏସଆଇ ସତ୍ୟପାଠ ଦାଖଲ କରୁଛି ତାହେଲେ ପ୍ରକଳ୍ପ କାମ ଉପରେ ରୋକ୍ ଲଗାଇବା ପାଇଁ କାହିଁକି ଏଏସଆଇ ଆବେଦନ କଲା ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି। ଏସଏସଆଇ କାହା ଚାପରେ ରହି ଏପରି କାମ କରୁଛି କି ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ବାରମ୍ବାର ପ୍ରକଳ୍ପ ଡିଜାଇନ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାରଙ୍କ କେଉଁ ପଦସ୍ଥ ଅଫିସରଙ୍କ ଦ୍ୱାରା ଏହି ଡିଜାଇନ ବାରମ୍ବାର ବଦଳୁଥିଲା। ବାରମ୍ବାର ଗସ୍ତ କରି ରିଭ୍ୟୁ କରିଥଲେ, ଜାଣିପାରୁ ନଥିଲେ କି । ରାଜ୍ୟ ସରକାରଙ୍କ ଅହଙ୍କାର ଏବଂ ଏଏସଆଇର ଅବହେଳାକୁ ନେଇ ଲଢେଇ ଚାଲିଛି ଆଉ ଶ୍ରୀମନ୍ଦିରର କ୍ଷତି ହେଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

ମନ୍ଦିର କେମିତି ସୁରକ୍ଷିତ ରହିବ ତାହା ହାଇକୋର୍ଟ ବାହାର କରିବା ଦରକାର । ନଚେତ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବନି ବୋଲି କହିଛନ୍ତି ବିଜୟ ମହାପାତ୍ର।

Leave a Reply

Your email address will not be published. Required fields are marked *