ମହଙ୍ଗା ପଡ଼ିଲା ଓକିଲଙ୍କ ଆଚରଣ, ହାଇକୋର୍ଟ ବେଞ୍ଚ ଦାବି ଖାରଜ କଲେ ସୁପ୍ରିମକୋର୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ:  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରୁଥିବା ଓକିଲ ସଂଘକୁ ଶକ୍ତ ଝଟକା ଲାଗିଛି। ନିଜର ଦାବି ପୂରଣ ପାଇଁ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ବ୍ୟାପକ ଭଙ୍ଗାରୁଜା କରିବା ଓକିଲମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କ ଆଚରଣ ଉପରେ କ୍ଷୁବ୍ଧ ସୁପ୍ରିମ କୋର୍ଟ ହାଇକୋର୍ଟ ବେଞ୍ଚ ଦାବିକୁ ମଧ୍ୟ ଖାରଜ କରିଛନ୍ତି। ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କରିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇ ପାରିବ ନାହିଁ ବୋଲି କହିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଆକ୍ରୋଶରୁ ଓଡ଼ିଶା ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ମଧ୍ୟ ବର୍ତ୍ତି ପାରି ନାହାନ୍ତି। ଓକିଲ ଆନ୍ଦୋଳନକୁ ପ୍ରଶମିତ କରିବାରେ ଓଡ଼ିଶା ପୁଲିସ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଉଭୟଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଯଦି ଓଡ଼ିଶା ପୁଲିସ୍‌ ପାରୁନି, ତା’ହେଲେ ଆମେ ପାରାମିଲିଟାରୀ ଫୋର୍ସ ଦେବୁ ବୋଲି କୋର୍ଟ କହିଛନ୍ତି। ୧୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ସତ୍ତ୍ୱେ କେମିତି ଭଙ୍ଗାରୁଜା ହେଲା? ଏହା ଓଡ଼ିଶା ପୁଲିସ୍‌ର ଚରମ ଅବହେଳା କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ।

ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏ ସଂପର୍କୀତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ। ସୋମବାର ସମ୍ବଲପୁରରେ ଆଇନଜୀବୀମାନେ ସେମାନଙ୍କ ଉଗ୍ରତା ପ୍ରଦର୍ଶନ କରି କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ। ପୁଲିସ୍‌ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଆଜି ଡିଜିପି ଓ ଉତ୍ତରାଞ୍ଚଳରେ ଆଇଜିଙ୍କୁ ହାଜର ହେବାକୁ କହିଥିଲେ। ଉଭୟ ଭିଓଓ କନ୍‌ଫରେନ୍ସ ମାଧ୍ୟମରେ ହାଜର ହୋଇଥିଲେ।

ଏହି ସମୟରେ ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ଏଏସ ଓକାଙ୍କ ଖଣ୍ଡପୀଠ ବଡ଼ ମତ ରଖିଥିଲେ। ପ୍ରଥମେ ଓଡ଼ିଶା ପୁଲିସ୍‌କୁ ଖଣ୍ଡପୀଠ ତୀବ୍ର ସମାଲୋଚନା କରିଥିଲେ। ଏହାପରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ଖଣ୍ଡପୀଠ କହିଥିଲେ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସଂପୂର୍ଣ୍ଣ ଭାବେ ଖାରଜ କରି କୋର୍ଟ କହିଛନ୍ତି, ଭୌଗୋଳିକ ସ୍ଥିତି ଓ ଟେକ୍ନୋଲୋଜି ପାଇଁ ବେଞ୍ଚ ପ୍ରତିଷ୍ଠା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯାଉଛି। ଟେକ୍ନୋଲଜିର ବିକାଶ ହୋଇଥିବାରୁ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ।

ସମ୍ଭବତଃ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ହୋଇଥିବା ଆବେଦନର ବିଚାର କରାଯାଇଥାଆନ୍ତା। ଯାହା ଟିକେ ଆଶା ଥିଲା, ଏଭଳି ଉଗ୍ର ଆଚରଣ ପରେ ସଂପୂର୍ଣ୍ଣ ମଉଳିଗଲା। ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ ବୋଲି ଖଣ୍ତପୀଠ କହିଛନ୍ତି। ଏଥିସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଓକିଲ ସଂଘକୁ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ବେଳେ ଉତ୍ତରାଞ୍ଚଳ ଆଇଜି ଭଙ୍ଗାରୁଜା ଘଟଣାରେ ପୁଲିସ୍‌ ନେଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ପୁଲିସ ଉପସ୍ଥିତ ସତ୍ତ୍ୱେ ଭଙ୍ଗାରୁଜା ହୋଇଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ୧୫ ପ୍ଲାଟୁନ ଫୋର୍ସ ଥିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା? ଆପଣମାନେ ଆଇନଶୃଙ୍ଖଳା ପରିସ୍ଥିତିକୁ ଏହିଭଳି ନିୟନ୍ତ୍ରଣ କରୁଛ କି? ଆପଣମାନେ ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ ଦେବୁ। ଏହା ପୁଲିସର ଚରମ ବିଫଳତା। ଆଇନ ଶୃଙ୍ଖଳା ରକ୍ଷା କରିବା ପୁଲିସର ଦାୟିତ୍ୱ। ଏକଥା ପୁଲିସ୍‌ ମନେ ରଖିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟର ଆଡ଼ଭୋକେଟ ଅନ୍‌ ରେକର୍ଡ ଗୌତମ ଦାଶ କହିଛନ୍ତି, “ଆଜି ଶୁଣାଣି ବେଳେ ଡିଜି ଓ ସମ୍ବଲପୁର ଆଇଜି ସୁପ୍ରିମକୋର୍ଟରେ ପ୍ରଥମେ କ୍ଷମା ମାଗିଥିଲେ। ଏହାପରେ ସେମାନେ ସୋମବାରଠାରୁ ଇତିମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ କହିଥିଲେ। ସମ୍ବଲପୁର ବାର୍‌ ଆସୋସିଏସନର ସବୁ ସଦସ୍ୟଙ୍କୁ ବାର୍‌ କାଉନସିଲ ଅଫ ଇଣ୍ଡିଆ ନିଲମ୍ବନ ମଧ୍ୟ କରିଛି। କିଛି ଆଇନଜୀବୀଙ୍କୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି। ପୁଲିସ୍‌ ଛଡ଼ା ଓଡ଼ିଶାର ଏଜି ମଧ୍ୟ କୋର୍ଟ କାର୍ଯ୍ୟ ଯେମିତି ଭଲ ଭାବେ ଚାଲିବ, ସେନେଇ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।”

ସୁପ୍ରିମକୋର୍ଟ ପୂର୍ବରୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ହୋଇଥିବା କମିଟିର ରିପୋର୍ଟକୁ ଆଜି ଶୁଣାଣି ବେଳେ ବିଚାରକୁ ନେଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯେଉଁ ଆଧାରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରାଯାଉଛି, ସେଥିରେ କୌଣସି ପ୍ରକାରର ସତ୍ୟାସତ୍ୟ ନାହିଁ। ଭୌଗୋଳିକ ସ୍ଥିତି, ଟେକ୍ନୋଲଜି ଓ କେତେ ଲୋକ ରହୁଛନ୍ତି ସେସବୁକୁ ବିଚାରକୁ ନିଆଯାଇଥିଲା। ସେଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ଆବଶ୍ୟକତା ନାହିଁ। କୌଣସି ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇବା ଜରୁରୀ ନୁହେଁ, ଆଇନଜୀବୀମାନେ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା କଥା। ହେଲେ ଆଇନଜୀବୀମାନେ ଲୋକଙ୍କ ସହ ମିଶି ଯେଉଁ ଭଳି ଆଚରଣ ପ୍ରଦର୍ଶନ କଲେ, ତାହା ଆଦୌ ଗ୍ରହଣୀୟ ନୁହେଁ।”

Leave a Reply

Your email address will not be published. Required fields are marked *