ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଷୀରକୋଣାର ସୁବର୍ଣ୍ଣ ଜୟନ୍ତୀ ପାଳିତ

ରାଜ୍ୟ

ଭୁବନେଶ୍ୱର: ଆଜି ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, କ୍ଷୀରକୋଣା, ସିମୁଳିଆ, ବାଲେଶ୍ବର ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରିବାକୁ ଯାଉଅଛି । ଏହି ପର୍ବ ପାଳନ ବିଦ୍ୟାଳୟର ସମସ୍ତ ପୁରାତନ ତଥା ବର୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଶିକ୍ଷାପ୍ରେମୀଙ୍କ ପାଇଁ ଏକ ଆନନ୍ଦ ଓ ହସୌଲାସର ଅବସର ଆଣିଛି । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ଏହାର ପ୍ରାଣ ପ୍ରତିଷ୍ଠାତା ମାନଙ୍କୁ ଆଭୂମ ପ୍ରଣାମ ଜଣାଇବା ସହିତ ସେମାନଙ୍କର ଅମ୍ଳାନ ସ୍ମୃତି ଚାରଣ କରୁଛି।

ସାଧୀନତାର ପରବର୍ତୀ କାଳରେ ପଚାଶ ଓ ଷାଠିଏ ଦଶକରେ ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକର କ୍ଷୀରକୋଣା ପଂଚାୟତଟି ନଦୀନାଳ ଘେରା ଏକ ଅନୁନତ ଅଂଚଳ ଥିଲା । ଏହି ଅଂଚଳକୁ ସଦର ମହକୁମାରୁ ଗମନାଗମନର ସେଭଳି କୌଣସି ସୁବିଧା ନଥିଲା । ଏହି ଅଂଚଳଟି ସୋର, ବାସୁଦେବପୁର ଏବଂ ସିମୁଳିଆ, ଏହି ତିନୋଟି ବ୍ଲକକୁ ସଂଯୋଗ କାରୁଥିବା ଏକ ଅଂଚଳ ଯେଉଁଠାରେ ଶିକ୍ଷାର କୌଣସି ଚିହ୍ନ ବଣ୍ଟି ନଥିଲା । ୧୯୫୩ ମସିହାରେ କ୍ଷୀରକୋଣା ଗ୍ରାମର ସର୍ଗତ ଗୋଲକ ଲାଲ ପାଢ଼ୀ (ଶ୍ରଦ୍ଧା ନାମ – ହାଡି ପାଢ଼ୀ) ତାଙ୍କର ସ୍ଥାନୀୟ ବନ୍ଧୁମାନଙ୍କୁ ଏକାଠି କରି ପ୍ରଥମେ କ୍ଷୀରକୋଣା ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିଥିଲେ । ପ୍ରଥମକରି ସେଦିନ ସେ ଶିକ୍ଷାର ବିକାଶ ପାଇଁ ଯେଉଁ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ତାହା ଆଜିବି ଅମଳିନ ଓ ସଦା ଜାନୁଲ୍ୟମାନ । ଏହାପରେ ୧୯୬୩ ମସିହାରେ ତାଙ୍କର ନେତୃତ୍ବରେ ମଧ୍ୟଇଂରାଜୀ ବିଦ୍ୟାଳୟ ଏବଂ ୧୯୬୬ ରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ (ଉପେନ୍ଦ୍ରନାଥ ଏକାଡେମୀ) ଘାସୁଆ ଗ୍ରାମର ଶିକ୍ଷା ବିଭାଗର ତତ୍‌କାଳୀନ ବିଭାଗୀୟ ଅଧିକାରୀ ସ୍ବର୍ଗତ ଉପେନ୍ଦ୍ରନାଥ ପ୍ରଧାନଙ୍କ ମାର୍ଗ ଦର୍ଶନ ଓ ସହଯୋଗରେ ପ୍ରତିଷ୍ଠା ହୋଇଥିଲା । କାହିଁ ସେହି କାଳରୁ ଆଜି ଯାଏ ଶିକ୍ଷାର ବିକାଶ ପାଇଁ ଏହି ଅନୁଷ୍ଠାନଟି କାର୍ଯ୍ୟ କରିଆସିଛି ଏବଂ ଆଗାମୀ ପିଢ଼ିରୁ ପିଢ଼ି ପର୍ଯ୍ୟନ୍ତ ସେହି ଧାରା ନିରବଚ୍ଛିନ୍ନ ଭାବରେ ଜାରି ରହିଥିବ ସହି ଅଲିଭା ଦୀପ ଆଜିବି ଜାନୁଲ୍ୟମାନ ।

କ୍ଷୀରକୋଣାର ଏହି ନିମ୍ନକ ବିଦ୍ୟାଳୟ (ବିଦ୍ୟାଳୟ ତ୍ରୟ) ଯାହାର ଆଜିର ସରକାରୀ ନାମକରଣ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଅଟେ । ଏହି ମଣିଷ ତିଆରି କାରଖାନା କାହିଁ କେତେ ଡାକ୍ତର, ପ୍ରଶାସକ, ଅଧ୍ୟାପକ, ଯନ୍ତ୍ରୀ, ଶିକ୍ଷକ, କୁଶଳୀ କାରିଗର, ଲେଖକ ଓ କଳାକାର ପ୍ରଭୃତିଙ୍କୁ ତିଆରି କରିଛି । ଆଜି ସେ ସମସ୍ତେ ସମାଜରେ ଉଚ୍ଚ ପ୍ରତିଷ୍ଠିତ ଏବଂ ଏହି ମଣିଷ ତିଆରି ଧାରା ଅନବରତ ଜାରି ରହିଥିବ କାଳ କାଳକୁ ।

ଆଜି ଯେବେ ଅତୀତର ସ୍ମୃତିକୁ ଆମେ ଖୋଜୁଛେ, ସେଥିରେ ବହୁତ ପରିବର୍ତନ ହୋଇଛି । ସେ ସମୟର ସ୍ମୃତି ସରୂପ ବିଦ୍ୟାଳୟର ମାଟି ଶ୍ରେଣୀଗୃହ ଆଜି ନାହିଁ । ସେଠି ଆଜି ଉଚ୍ଚ ପକ୍କା ଶ୍ରେଣୀଗୃହ । ସବୁ କିଛି ନୂଆ ନୂଆ ଲାଗୁଛି । ସେ ସମୟର ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀଙ୍କ ମଧ୍ୟରୁ କେତେଜଣ ଆରପାରିକୁ ଚାଲିଗଲେଣି। କିନ୍ତୁ ବିଶେଷକରି ତତ୍କାଳୀନ ପ୍ରଧାନ ଶିକ୍ଷକ ସର୍ଗତ କେଶବ ଚରଣ ବେହେରାଙ୍କ ପରିଶ୍ରମ ଓ ଦୂରଦୃଷ୍ଟି ବିଦ୍ୟାଳୟର ପରିସରକୁ ସମୃଦ୍ଧ ଓ ବ୍ୟାପକ କରିଥିଲା । ଆମ ସମସ୍ତଙ୍କ ପ୍ରିୟ ଶିକ୍ଷକ ନଳୀନକାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ସୁଧାକର ବିଶ୍ବାଳ ଆଜି ଆମ ଗହଣରେ ନାହାନ୍ତି । ପରବର୍ତୀ ସମୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ନେଇଥିଲେ ରଘୁନାଥ ପାଣିଗ୍ରାହୀ । ସେ ଅତ୍ୟନ୍ତ ସ୍ନେହୀ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବେ ତାଙ୍କପ୍ରତି ଛାତ୍ରଛାତ୍ରୀମାନଙ୍କର ଆଦୃତି ଥିଲା । ଉଚ୍ଚକୋଟିର ଶିକ୍ଷାଦାନ

ସହିତ ସୃଜନଶୀଳତା ଓ ନାଟକ, ଏକାଙ୍କୀକା, ଗୀତିନାଟ୍ୟ ଆଦି ନିଜେ ଲେଖି ତାହାର ନିର୍ଦ୍ଦେଶନା ମଧ୍ୟ ସେ ଦେଉଥିଲେ । ଆମ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ତାଙ୍କ ଦ୍ବାରା ଲେଖା ହୋଇଥିବା ନାଟକ, ଗୀତିନାଟ୍ୟ ଆଦି ମଂଚସ୍ଥ ହେଉଥିଲା। ଆମେ ଅପେକ୍ଷା କରୁଥିଲେ ପୁଣି ଆଗାମୀ ବର୍ଷକୁ ତାଙ୍କ ନୂଆ ନାଟକ ମଂଚସୁ ପାଇଁ । ସେ ସମୟରେ ସଫଳ ନାଟକ ମଂଚସୁ ମଧ୍ୟରେ କୂଳ ଚନ୍ଦ୍ରମା, ମାଣିକ ଯୋଡି, ଗୋଟିଏ ପଇସା, ବୈରାଗୀର ସଂସାର ଓ ସ୍ପର୍ଶ ଚମ୍ପା, ଗୀତିନାଟ୍ୟ ଯଥା ସତୀ ଅନୁସୂୟା, ବାଣା ପରାଜୟ, ଜଳନ୍ଧର ବଧ, ଅବୁଛାମଣା ରାଜାଙ୍କ ପାଳବିଣ୍ଡା ମନ୍ତ୍ରୀ ଇତ୍ୟାଦିର ସ୍ମୃତି ଆଜି ମଧ୍ୟ ଆମ ମାନସପଟରେ ଉଜୀବିତ ରହିଛି ।

ସେ ସମୟରେ ଆମ ବିଦ୍ୟାଳୟରେ ଗଣେଷ ପୂଜା, ସରସ୍ବତୀ ପୂଜା, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ, ରାମଧୂନ ଏବଂ ବାର୍ଷିକ ଉତ୍ସବ ପାଳନର ସ୍ମୃତି ଆଜି ବି ମନରେ ସତେଜ ହୋଇ ରହିଛି ।

ବାର୍ଷିକ ପରୀକ୍ଷା, କ୍ରିଡା ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା ଆଦିରେ ଅଂଶ ଗ୍ରହଣ କରିବା ଓ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବାର ସ୍ମୃତି ସବୁ ଆଜିବି ମନରେ ସତେଜ । ଭାରତ ବର୍ଷର ଅନେକ ପ୍ରତିଷ୍ଠିତ ବିଦ୍ୟାଳୟମାନ ଦେଖିବାର ସୁଯୋଗ ମିଳିଛି । କିନ୍ତୁ କାହିଁକି କେଜାଣି ଆମର ଏହି ବିଦ୍ୟାଳୟ ନିଆରା ଲାଗେ । ଯଦିଓ ଏହାର ଭିତିଭୂମି ସେମାନଙ୍କ ତୁଳନାରେ ଏତେ ଉନ୍ନତ ନୁହେଁ, ତଥାପି ଏହି ବିଦ୍ୟାଳୟ ତ୍ରୟର ନିଆରାପଣ ଆଜିବି ଆମକୁ ଆକର୍ଷଣ କରେ । ନିଜେ ପରିଶ୍ରମ କରି ଆମେ ତିଆରି କରିଥିବା ଫୁଲ ବଗିଚା, ଏହାର ବାସ୍ନା ଓ ଅପୂର୍ବ ଶୋଭାରାଜି ଏବେବି ମନ ମଧ୍ୟରେ ସତେଜ ହୋଇ ରହିଛି । ସରସ୍ବତୀ ଏବଂ ଗଣେଷ ପୂଜାରେ ସ୍କୁଲରେ ଭୋଜି ପାଇଁ ଆୟୋଜନ, ଚାନ୍ଦା ଆଦାୟ ସାଙ୍ଗକୁ ତାର ସୂଚାରୁ ପରିଚାଳନା ଆଜିମଧ୍ୟ ଭାବି ବସିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ଆନନ୍ଦ ଲାଗୁଛି ।

ଏହା ଭିତରେ ସମୟର ବହୁତ ପରିବର୍ତନ ହୋଇସାରିଛି । ଆଜିକାଲି ଆଗଭଳି ଆଉ ବିଦ୍ୟାଳୟମାନଙ୍କରେ ଗାଆଁର ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ କାରାଯାଇ ଭୋଜିଭାତର ଆୟୋଜନ କିମ୍ବା ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନାଟକ ପରିବେଷଣ କାର୍ଯ୍ୟକ୍ରମ ହେଉନାହିଁ । ସେ ସମୟରେ ସବୁ କିଛି ନିଆରା ଥିଲା । ଆଜି ସରକାରୀ ସ୍ତରରେ ସବୁକିଛି କରାଯାଉଥିବା ବେଳେ ପଚାଶ ଓ ଷାଠିଏ ଦଶକରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ସ୍ଥାନୀୟ ଜନସାଧାରଣଙ୍କର ସାହାଯ୍ୟ ସହଯୋଗରେ ବିଦ୍ୟାଳୟ ଗୁଡିକ ଗଢ଼ି ଉଠିଥିଲା । ଏଥିସହିତ ବହୁ ଉଚ୍ଚଶିକ୍ଷିତ ବ୍ୟକ୍ତି ସରକାରୀ ଚାକିରୀର ଲୋଭକୁ ତ୍ୟାଗ କରି ଶିକ୍ଷାଦାନକୁ ଆପଣେଇ ନିଜ ନିଜ ଅଂଚଳର ଶିକ୍ଷାର ବିକାଶ ଧାରାରେ ସାମିଲ ହେଉଥିଲେ

ଆଜି ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆମ ବିଦ୍ୟାଳୟର ତତ୍‌କାଳୀନ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେହେରା, ପୀତବାସ ମହାପାତ୍ର, ଇନ୍ଦ୍ରମଣି ବେହେରା, ମାୟାଧର ସାହୁ, କରୁଣାକର ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ଯଦୁନାଥ ଷେଣ୍ଟ, ବସନ୍ତ କୁମାର ପ୍ରଧାନ, ଅଭିମନ୍ୟୁ ପଣ୍ଡା ଓ ବାବାଜୀ ଚରଣ ଦାସଙ୍କ ଭଳି ଛାତ୍ର ବତ୍ସଳ ସ୍ନେହୀ ଶିକ୍ଷକମାନଙ୍କର ସ୍ମୃତି ମନକୁ ଆସୁଛି । ସେମାନଙ୍କର ସୁସୁ ତଥା ନିରୋଗ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ଆମ ବିଦ୍ୟାଳୟର ସବୁଜ ସୁନ୍ଦର ପରିବେଶ ଅତ୍ୟନ୍ତ ମନୋରମ ଥିଲା । ଶୀତଦିନେ ଶ୍ରେଣୀଗୃହ ସାମନାରେ ଥିବା ବଗିଚାରେ ବସି ପାଠପଢା ଓ ଶିକ୍ଷକ ମାନଙ୍କ ଦ୍ଵାରା ପରୀକ୍ଷା ଖାତା ମୁଲ୍ୟାୟନ ସାଙ୍ଗକୁ ସହପାଠୀ ମାନଙ୍କ ମଧ୍ୟରେ ନମ୍ବର କମବେଶିକୁ ନେଇ ଯୁକ୍ତିତର୍କ କରିବାର ସ୍ମୃତି ଆଜିବି ଅଭୁଲା ।

ଆଜି ବିଦ୍ୟାଳୟ ମାନଙ୍କର ଭିତିଭୂମି ବିକାଶ ସହିତ ନୂଆ ନୂଆ ପାଠ୍ୟକ୍ରମ ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷାର ବିକାଶ କଥା ସରକାର ହାତକୁ ନେଇଛନ୍ତି । ଇତି ମଧ୍ୟରେ ରାଜ୍ୟର ଅନେକ ବିଦ୍ୟାଳୟର ବିକାଶ ସରକାର କରିଥିବା କଥା ସର୍ବତ୍ର ଆଲୋଚନା ହେଉଛି । ମାତ୍ର ଏହି ବିଦ୍ୟାଳୟର ଭିତିଭୂମିର ବିକଶ ଯେଉଁଭଳି ଭାବେ ହେବାକଥା ତାହା ଅଦ୍ୟାବଧ ହୋଇନଥିବା ଲକ୍ଷ୍ୟ କରାଯାଉଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ବିଶେଷକରି ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ କି ଯଥାଶୀଘ୍ର ଏହି ବିଦ୍ୟାଳୟର ଭିତିଭୂମିର ବିକାଶ ସାଙ୍ଗକୁ ଏକ ପୂର୍ଣ୍ଣ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା

ଦରକାର । ତାହାହେଲେ ଯାଇ ଆମେ ଏହି ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ପୃଷ୍ୟାତ୍ମା ମାନଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧା ନିବେଦନ କରିବା ସହିତ ସେମାନଙ୍କର ସପ୍ନକୁ ସାକାର କରିପାରିବା ।

ସୁବର୍ଣ ଜୟନ୍ତୀ ସମାରୋହକୁ ଆମ ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜି ଉଦ୍‌ଘାଟନ କରୁଛନ୍ତି । ତାଙ୍କ ସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀ ବୃନ୍ଦ, ଶିକ୍ଷାବିତ୍, ସାହିତ୍ୟିକ ଓ ଶିକ୍ଷା ଅଧିକାରୀଙ୍କ ସହିତ ପ୍ରସାଶକ ମାନେ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟ ଓ ଆନନ୍ଦର ବିଷୟ ।

ସମୟ ଗଡି ଚାଲିଛି । ଏହି ଶିକ୍ଷାନୁଷ୍ଠାନଟି ଆଜି ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ଅଧିକ ଦାୟିତ୍ବବାନ ହେବା ସହିତ କର୍ତବ୍ୟପରାୟଣ ମଧ୍ୟ ହୋଇଅଛି । ଏହି ବିଦ୍ୟାଳୟ ଆଗାମୀ ପିଢି ପରେ ପଢିକୁ ଶିକ୍ଷାଦାନ ଦେବାସହିତ ଏହି ଅଂଚଳର ସାମଗ୍ରିକ ବିକାଶର ମୁକସାକ୍ଷୀ ହୋଇ ରହିଥିବ କାଳ କାଳକୁ । ଏଥି ସହିତ ପ୍ରଣାମ କରୁଛୁ ସେହି ମାଟି ମନସ୍କ ପ୍ରତିଭାମାନଙ୍କୁ, ଯେଉଁ ମାନଙ୍କର ତ୍ୟାଗ, ସେବା ଓ ନିଷ୍ଠା ବଳରେ ଆଜିର ଏହି ବିକଶିତ ଶିକ୍ଷାନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ପାଳନ ହେଉଅଛି । ଆଜିର ପବିତ୍ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଏହି ଅନୁଷ୍ଠାନର ଚିର ସ୍ମରଣୀୟ ପ୍ରାଣ ପ୍ରତିଷ୍ଠାତା ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି।

Leave a Reply

Your email address will not be published. Required fields are marked *