ଭୁବନେଶ୍ବର: ପେଟ୍ରୋଲ୍ ଓ ଡିଜେଲ୍ ଦରରେ ବୃଦ୍ଧିର ଧାରା ଜାରି ରହିଛି। ଏକ ଲିଟର ପେଟ୍ରୋଲ୍ ଦାମ୍ ୮୦ ଟଙ୍କାରୁ ଅଧିକ ହୋଇଯାଇଛି। ରାଜଧାନୀର ପେଟ୍ରୋଲ୍ ପମ୍ପ୍ରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୮୦ ଟଙ୍କା ୧୩ ପଇସା ହୋଇଛି। ସେହି ସମୟରେ ଡିଜେଲ୍ ଦାମ୍ ମଧ୍ୟ ୭୭ ଟଙ୍କା ସ୍ତର ଅତିକ୍ରମ କରିଯାଇଛି। ଏକ ଲିଟର ଡିଜେଲ କିଣିବା ଲାଗି ୭୪ ଟଙ୍କା ୪ ପଇସା ଗଣିବାକୁ ପଡ଼ୁଛି। ଗତ ୧୬ ଦିନ ଧରି କ୍ରମାଗତ ଭାବେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ୁଛି। ଇତି ମଧ୍ୟରେ ପେଟ୍ରୋଲ୍ ଦର ୮ ଟଙ୍କା ୩୦ ପଇସା ଓ ଡିଜେଲ୍ ଦାମ୍ରେ ୯ ଟଙ୍କା ୪୬ ପଇସାର ବୃଦ୍ଧି ହୋଇଛି। ୨୦୦୨ ଏପ୍ରିଲ୍ରେ ତେଲ ଦର ନିର୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହେବା ପରଠାରୁ ତେଲ ଦରରେ ଏଭଳି ବଡ଼ ଧରଣର ବୃଦ୍ଧି କେବେ ଦେଖିବାକୁ ମିଳିନଥିଲା। ତେଲ ଦରରେ ହ୍ରାସ କିମ୍ବା ବୃଦ୍ଧି ଦୁଇଟି ବିଷୟ ଉପରେ ନିର୍ଭର କରୁଛି। ପ୍ରଥମଟି ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ଏବଂ ଦ୍ବିତୀୟଟି ହେଉଛି ଡଲାର ମୂଲ୍ୟ। ଏବେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୪୦ ଡଲାରରୁ ଅଧିକ ରହିଛି। ସେହି ସମୟରେ ଏକ ଡଲାର ମୂଲ୍ୟ ୭୬ ଟଙ୍କାରୁ ଅଧିକ ରହିଛି। ଗତ କିଛି ମାସ ଭିତରେ ଉଭୟ ଅଶୋଧିତ ତୈଳ ଓ ଡଲାର ଅପେକ୍ଷାକୃତ ମହଙ୍ଗା ହୋଇଛି। ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ାଇବାରେ ଏହା ଯେତିକି ଦାୟୀ ନୁହଁ ତା’ଠାରୁ ଅଧିକ ଦାୟୀ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ। ଏକ ଲିଟର ପେଟ୍ରୋଲ୍ ଉପରୁ ୫୦ ଟଙ୍କା ୬୯ ପଇସାର ଟିକସ ଆଦାୟ କରାଯାଉଛି। କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସାର ଟିକସ ବସାଇଥିବା ବେଳେ ରାଜ୍ୟ ସରକାର ୧୭ ଟଙ୍କା ୭୧ ପଇସାର ଭାଟ୍ ଆଦାୟ କରୁଛନ୍ତି। ଗତ ତିନି ମାସ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଦୁଇ ଥର ଟିକସ ବଢ଼ାଇଛନ୍ତି। ଡିଜେଲ୍ ଉପରେ ୪୯ ଟଙ୍କା ୪୩ ପଇସାର ଟିକସ ଲଗାଯାଇଛି। କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସା ଓ ରାଜ୍ୟ ସରକାର ୧୭ ଟଙ୍କା ୬୦ ପଇସାର ଟିକସ ଆଦାୟ କରୁଛନ୍ତି।
