ଭୁବନେଶ୍ୱର: ରାଜ୍ୟରେ କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ ? ବିକଳପ୍ ମୂଲ୍ୟାନ ନେଇ ଏଯାଏ କୌଣସି ନିଷ୍କର୍ଷ ବାହାରି ପାରିନି । ଏଥିପାଇଁ ରାଜ୍ୟ ସରକାର ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି ୧୦ ଦିନ ଭିତରେ ରିପୋର୍ଟ ଦେବ ବୋଲି ସମୟସୀମା ଥିଲା । ତେବେ କଣ୍ଟ ପୂରିଥିଲେ ବି ଏଯାଏ କମିଟି କୌଣସି ପ୍ରସ୍ତାବ ଦେଇ ନାହିଁ । ଆଜି ବସୁଛି ବିଶେଷଜ୍ଞ କମିଟିର ଶେଷ ବୈଠକ । ଆଜି ବିଚାରବିମର୍ଶ କରି କମିଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ବିକଳ୍ପ ମୂଲ୍ୟାୟନ ପ୍ରସ୍ତାବ ଦେବ ।
ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି କମିଟି ବିଚାରବିମର୍ଶ କରିଛି । ଶିକ୍ଷାବିତଙ୍କ ମତ ଲୋଡ଼ାଯାଇଛି । ମିଳିଥିବା ସୂଚନା ଅନୁସାରେ ,ଦଶମ ଶ୍ରେଣୀ ମାର୍କ ଆଧାରରେ ହୋଇପାରେ ମୂଲ୍ୟାୟନ । ଯେଉଁ ବିଷୟରେ ପ୍ରାକ୍ଟିକାଲ୍ ଅଛି ଏକାଦଶର ପ୍ରାକ୍ଟିକାଲ୍ ମାର୍କକୁ ଆବଶ୍ୟକସ୍ଥଳେ ବିଚାରକୁ ନିଆଯିବ । କଣ ରହିବ ବିକଳ୍ପ ମୂଲ୍ୟାୟନ ତାଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନଜର ରହିଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦିନେ ଦୁଇ ଦିନ ଭିତରେ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ହସ୍ତାନ୍ତର କରିବ । କମିଟିର ପ୍ରସ୍ତାବ ଆଧାରରେ ବିଚାରବିମର୍ଶ ପରେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ଆଶା କରାଯାଉଛି ସପ୍ତାହେ ଭିତରେ ମୂଲ୍ୟାୟନ ନୀତି ନିର୍ଦ୍ଧାରଣ ହୋଇପାରେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର ।