ମହାନଦୀରେ ୩ ଜଣ ବୁଡ଼ିଯିବା ଘଟଣା, ଆଉ ଏକ ମୃତଦେହ ଉଦ୍ଧାର

Top Storise ରାଜ୍ୟ

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍‌ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କ ଭିତରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଛୋଟୁ ଓରଫ ଆୟୋର୍‌ ଖାନ୍‌(୧୮) । ଗତକାଲି ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍‌ ୟୁସୁଫ୍‌ଙ୍କ ପୁଅ ସେକ ସାହିଲ୍‌ (୧୭)ଙ୍କର ଏଥିରେ ମୃତ୍ୟୁ ଘଟିଥିଲା ।

ଆଜି ସକାଳୁ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ଏବଂ ଏହା ଏବେ ବି ଜାରି ରହିଛି। ଘଟଣାସ୍ଥଳରେ ମେୟର ସୁବାସ ଚନ୍ଦ୍ର ସିଂହ, କଟକ-ବାରବାଟର ବିଧାୟକ ମହମ୍ମଦ ମୋକିମ ଓ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି । ନିଖୋଜ ରାଜ୍‌ ଓରଫ ସିଦ୍ଦିକ୍‌ ଖାନ୍ (୧୭)ଙ୍କର ସନ୍ଧାନ ଏବେ ଜାରି ରହିଛି।

ଗତକାଲି ଦିନ ପ୍ରାୟ ୧ଟା ବେଳେ ଚାରିଘରିଆସାହିର କେତେଜଣ ଯୁବକ ମହାନଦୀ ଯୋବ୍ରା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ସାହିଲ୍‌, ରାଜ୍‌ ଓ ଛୋଟୁ ପାଣି ସୁଅ ଭିତରକୁ ଚାଲିଯାଇଥିଲେ। ଅସାବଧାନତାରୁ ନଦୀର ପ୍ରଖର ସ୍ରୋତରେ ସାହିଲ୍‌ ଭାସି ଯାଇଥିଲେ। ଏହା ଦେଖିପାରି ରାଜ୍‌ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ, ସେମାନେ ନିଜେ ପାଣି ସୁଅରେ ଭାସିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରି କେବଳ ସାହିଲ୍‌ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିପାରିଥିଲେ। ତୁରନ୍ତ ତାଙ୍କୁ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *