ଭୁବନେଶ୍ବର : ଶିକ୍ଷା ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ ଓ ଏହା ଓଡ଼ିଶାକୁ ପ୍ରଗତିର ଶୀର୍ଷକରେ ପହଞ୍ଚାଇ ପାରିବ। ଶିକ୍ଷା ଗ୍ରହଣ ସହିତ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ତେବେ ଦକ୍ଷତା ବିକାଶ ପାଇଁ ପ୍ରତିଯୋଗୀ ମନୋଭାବ ନେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଉଚିତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ପ୍ରକାଶ କରିଛନ୍ତି।

ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବକୁ ଉଦ୍ଘାଟନ କରି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କହିଛନ୍ତି ଯେ ଶିକ୍ଷା ଗ୍ରହଣ ସହିତ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜିଠାରୁ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଛି। ପ୍ରତିଟି ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭା ରହିଛି। ସେମାନଙ୍କ ନିକଟରେ ଥିବା ଲୁକ୍କାୟିତ ପ୍ରତିଭା ଉନ୍ମୋଚନ ହେବା ଦରକାର।
ପ୍ରତିଯୋଗୀ ମନୋଭାବ ନେଇ ପ୍ରତିଭା ପ୍ରଦର୍ଶନ କଲେ ତାହା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହୋଇପାରିବ ବୋଲି କୁଳପତି ପ୍ରକାଶ କରିଥିଲେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସ୍ବାଗତ ଜଣାଇବା ସହ ପ୍ରତିଭା ବିକାଶ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ.ଅଭୟ କୁମାର ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ, ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ରୁଦ୍ରନାରାୟଣ ମହାପାତ୍ର ବକ୍ତବ୍ୟ ରଖିଥିଲେ। ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ।
ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩୦ହଜାର, ୨୫ହଜାର ଓ ୨୦ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ। ମାର୍ଚ୍ଚ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଯାପନ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଯୋଗଦେବାର କାର୍ୟ୍ୟକ୍ରମ ରହିଛି।

ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ୧୬ଟି ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଛନ୍ତି। ସେଥିମଧ୍ୟରୁ ୧୪ଟି ରାଜ୍ୟ ସରକାରଙ୍କ ବିଶ୍ବବିଦ୍ୟାଳୟ ହୋଇଥିବାବେଳେ ୨ଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶ୍ରଗହଣ କରିଛନ୍ତି। ମାର୍ଚ୍ଚ ୧୭ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଉତ୍କଳ, ରେଭେନ୍ସା, ବ୍ରହ୍ମପୁର, ଫକୀର ମୋହନ, ଗଙ୍ଗାଧର ମେହେର, କଳାହାଣ୍ଡି, ସମ୍ବଲପୁର, ଖଲିକୋଟ, ରାଜେନ୍ଦ୍ର, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଓଏସଓୟୁ, ଓୟୁଟିଆର, ନାଇଜର ଓ ଆଇଜରର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି।
ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବର ପ୍ରଥମ ଦିବସରେ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା, କୁଇଜ, ବାଦ୍ୟସଙ୍ଗୀତ ଏବଂ ‘ଜଷ୍ଟ ଏ ମିନିଟ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଚିତ୍ରାଙ୍କନ/ପେଣ୍ଟିଂ, ଏକକ ଅଭିନୟ, ସ୍କିଟ ପ୍ରତିଯୋଗିତା ସମେତ ଚୂଡ଼ାନ୍ତ ପର୍ୟ୍ୟାୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।