ଗରିବ ଦେଶଙ୍କୁ ଟିକା ଦିଅ: ‘ହୁ’ ମୁଖ୍ୟ

Top Storise ଦେଶ- ବିଦେଶ

ଜେନେଭା: ଧନୀ ଦେଶଗୁଡ଼ିକ ଟିକାକରଣ ପାଇଁ କିଛି ଅସୁବିଧା ନାହିଁ। କାରଣ ତାଙ୍କ ପାଖରେ ଟିକା ଅଛି, ଅନ୍ୟାନ୍ୟ ସାଧନ ରହିଛି। ହେଲେ ଏମିତି ପରିସ୍ଥିତିରେ ଗରିବ ଦେଶଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ଟିକା ଦେଇପାରୁନାହାନ୍ତି। ଆଗକୁ ଡେଲ୍ଟା ପ୍ଲସ ଭାଇରସ ଅଧିକ କ୍ଷତିଗ୍ରସ୍ତ କରିବାର ଆଶଙ୍କା ଥିବା ବେଳେ ଗରିବ ଦେଶରେ ଟିକାକରଣ ନ ହେବା ବିଶ୍ଵସ୍ତରରେ କରୋନା ମୁକାବିଲାକୁ ପ୍ରଭାବିତ କରିବ। ସେଥିପାଇଁ ଗରିବ ଦେଶଗୁଡ଼ିକୁ ଟିକା ଦେବା ପାଇଁ ‘ହୁ’ର ମୁଖ୍ୟ କହିଛନ୍ତି। ଏମିତି ନ ହୋଇପାରିଲେ ସମଗ୍ର ବିଶ୍ଵର ବିଫଳତା ବିବେଚିତ ହେବ ବୋଲି ସେ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ କରୋନା ସ୍ଥିତି ଗମ୍ଭୀର ହୋଇଛି। ଗତ ସପ୍ତାହରେ  ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ସୂଚନା ଯୋଗ୍ୟ ଯେ, ଟେଡ୍ରୋସ ନିଜେ ଜଣେ ଇଥିଓପିଆ ନାଗରିକ। ଏ ପରିସ୍ଥିତିରେ ସେ ବଡ଼ ଦେଶଗୁଡ଼ିକର ନାମ ନ ନେଇ ସମାଲୋଚନା କରିଛନ୍ତି ଯେ ଏହି ଧନୀ ଦେଶଗୁକ ଗରିବ ଦେଶକୁ ଟିକା ଦେବା ପାଇଁ କୁଣ୍ଠିତ ହେଉଛନ୍ତି। ଏହି ମନୋଭାବ ବିଶ୍ଵରେ ଅନ୍ୟାୟ ଓ ଅସମାନତାକୁ ବଢ଼ାଉଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ ପକ୍ଷରୁ ସମଗ୍ର ବିଶ୍ଵକୁ ଟିକା ଯୋଗାଣ ପାଇଁ ‘କୋଭାକ୍ସ’ କାର୍ଯ୍ୟକ୍ରମ ଚାଲିଛି। ଧନୀ ଦେଶଗୁଡ଼ିକ ରିଆତି ଦରରେ ଟିକା ଯୋଗାଣ କରୁଛନ୍ତି।  ‘କୋଭାକ୍ସ’ ଜରିଆରେ ୯୨ ଗରିବ ଦେଶର ୨୦ ପ୍ରତିଶତ ନାଗରିକଙ୍କ ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।  ୨୦୨୧ରେ ଶେଷ ସୁଦ୍ଧା ୨ଶହ କୋଟି ଓ ୨୦୨୨ରେ ୨ଶହ କୋଟି ଏହି ଯୋଜନା ଅଧୀନରେ ଦେବା ପାଇଁ ଲକ୍ଷ୍ୟ ଥିଲା। ତେବେ ଏପର୍ଯ୍ୟନ୍ତ ମାତ୍ର ୮୯ କୋଟି ଟିକା ଯୋଗାଣ ହୋଇପାରିଛି। ଏହାକୁ ନେଇ ଡବ୍ଲୁଏଚ୍ଓ ଉଦବେଗ ପ୍ରକାଶ କରିଛି। ଭାରତର ସେରମ ଇନଷ୍ଟିଚ୍ୟୁଟ ଟିକା ଯୋଗାଣ କରିଆସୁଥିଲା। କିନ୍ତୁ ଦେଶରେ କରୋନା ସଂକ୍ରମଣ ତୀବ୍ର ଗତରି ବଢ଼ିବାରୁ ଏହା ଟିକା ଯୋଗାଣ ବନ୍ଦ କରିଦେଇଛି। ତେବେ ଖୁବ୍ ଶୀଘ୍ର ପୁଣି ଟିକା ଯୋଗାଣକୁ ବୃଦ୍ଧି କରାଯିବ ବୋଲି ସେରମ ଆଶା ରଖିଥିବା ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *