ୟୁଟ୍ୟୁବ ଠାରୁ ୭୫ ଲକ୍ଷ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ, ଗଣିଲେ ୨୫ ହଜାର ତଣ୍ଡ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ହଠାତ୍‌ ଅଶ୍ଳୀଳ ବିଜ୍ଞାପନ ଆସିଯିବାରୁ ଏହାକୁ ଦେ‌ଖିଥିଲେ ଜଣେ ଯୁବକ। ଏଥିଯୋଗୁ ସେ ବିଚଳିତ ହେବା ସହ ପରୀକ୍ଷାରେ ଫେଲ ହୋଇଯାଇଥିଲେ। ଏହା ବିରୋଧରେ ସେ ୟୁଟ୍ୟୁବ ଠାରୁ ୭୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଆଦାୟ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟରେ ଆବେଦଦ କରିଥିଲେ। କିନ୍ତୁ ଆବେଦନକାରୀଙ୍କୁ ସର୍ବୋଚ୍ଚ ଅଦାଲତ ତୀବ୍ର ସମାଲୋଚନା କରି ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

ଏପରି ଆବେଦନକୁ ସୁପ୍ରିମକୋର୍ଟ ଦୁଷ୍ଟାମୀର ପରିଚୟ ବୋଲି ମଧ୍ୟ ଅବିହିତ କରିଛନ୍ତି। ମଧ୍ୟପ୍ରଦେଶରେ ରହୁଥିବା ଏହି ଯୁବକ ଜଣଙ୍କ ତାଙ୍କ ଆବେଦନରେ କହିଥିଲେ ଯେ ସେ ପ୍ରବେଶିକା ପରୀକ୍ଷା ପାଇଁ ୟୁଟ୍ୟୁବରେ କିଛି ବିଷୟବସ୍ତୁକୁ ଦେଖୁଥିଲେ। କିନ୍ତୁ ଏହି ସମୟରେ ହଠାତ୍‌ ଅଶ୍ଳୀଳ ବିଜ୍ଞାପନ ଚାଲିଥିଲା।

ବିଜ୍ଞାପନ ଦେଖି ତାଙ୍କ ପରୀକ୍ଷା ବିଷୟବସ୍ତୁ ଉପରୁ ଧ୍ୟାନ ହଟି ଯାଇଥିଲା। ସେ ପ୍ରବେଶିକା ପରୀକ୍ଷାରେ ମଧ୍ୟ କୃର୍ତ୍ତକାର୍ଯ୍ୟ ହୋଇପାରି ନଥିଲେ। ତେଣୁ ଗୁଗଲ ମାଲିକାନରେ ଥିବା ୟୁଟ୍ୟୁବ ତାଙ୍କୁ କ୍ଷତିପୂରଣ ବାବଦରେ ୭୫ ଲକ୍ଷ ଟଙ୍କା ଦେଉ ବୋଲି ସେ ଆବେଦନରେ ଦର୍ଶାଇଥିଲେ।

ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ଏଏସ୍‌ ଓକାଙ୍କ ଖଣ୍ଡପୀଠ କହିଛନ୍ତି, “ଆପଣ(ଆବେଦନକାରୀ) କ୍ଷତିପୂରଣ ଚାହୁଁଛନ୍ତି। କାରଣ ଆପଣ ଇଣ୍ଟରନେଟରେ ବିଜ୍ଞାପନ ଦେଖିଛନ୍ତି। ଏହି ବିଜ୍ଞାପନ ଦେଖି ଆପଣଙ୍କ ଧ୍ୟାନଚ୍ୟୁତ ହୋଇଥିଲା ଓ ଆପଣ ପରୀକ୍ଷାରେ ଭଲ କରିପାରି ନଥିଲେ? ଏହା କେଉଁ ପ୍ରକାରର ଆବେଦନ? ସମ୍ବିଧାନର ଧାରା ୩୨ ଅଧୀନରେ ଦାଖଲ ହୋଇଥିବା ଏହି ଆବେଦନ ଅତ୍ୟନ୍ତ ଦୁଷ୍ଟାମୀର ପରିଚୟ। ଏପ୍ରକାରର ଆବେଦନ କେବଳ ନ୍ୟାୟପାଳିକା ସମୟ ନଷ୍ଟ କରୁଛି।”

ଆବେଦନକାରୀ ସୋଶାଲ ମିଡିଆରେ ଅଶ୍ଳୀଳ ବିଷୟବସ୍ତକୁ ମଧ୍ୟ ବ୍ୟାନ କରିବାକୁ କହିଥିଲେ। ଆବେଦକାରୀ ଦାବି କରୁଛନ୍ତି ଯେ ସେ ଗୋଟିଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଓ ଏଥିପାଇଁ ୟୁଟ୍ୟୁବକୁ ସବସ୍କ୍ରାଇବ କରିଥିଲେ। ଏହି ସମୟରେ ସେ ୟୁଟ୍ୟୁବରେ ଅଶ୍ଳୀଳ ବିଜ୍ଞାପନ ଦେଖିଛନ୍ତି।

ଯଦି ଆପଣ(ଆବେଦନକାରୀ) ବିଜ୍ଞାପନକୁ ପସନ୍ଦ କରୁନାହାନ୍ତି, ତା’ହେଲେ ଦେଖନ୍ତୁ ନାହିଁ। ଆପଣଙ୍କୁ ଭଲ ଲାଗୁ ନଥିଲେ ମଧ୍ୟ କାହିଁକି ଆପଣ ବିଜ୍ଞାପନ ଦେଖିଲେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ପ୍ରାଥମିକ ଅବସ୍ଥାରେ ସୁପ୍ରିମକୋର୍ଟ ଆବେଦନକୁ ଅଗ୍ରାହ୍ୟ କରି ୧ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଥିଲେ। ହେଲେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଆଗରେ କ୍ଷମା ମାଗିବା ସହ ଜୋରିମାନା ଲାଗୁ ନ କରିବାକୁ ନେହୁରା ହୋଇଥିଲେ। ଏଥିସହ ସେ କୌଣସି ଚାକିରି କରୁ ନଥିବାରୁ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ବେଶ ବିନମ୍ରତାର ସହ କହିଥିଲେ। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିବା ସହ ଜୋରିମାନା ରାଶିକୁ ୧ ଲକ୍ଷରୁ ୨୫ ହଜାର ଟଙ୍କାକୁ ହ୍ରାସ କରିଥିଲେ।

Leave a Reply

Your email address will not be published. Required fields are marked *