ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ବେଳେ ପାଟ୍ରୋଲିଂ ପାଇଁ କମିଶନରେଟ ପୋଲିସକୁ ମିଳିଛି ଅତିରିକ୍ତ ଗାଡ଼ି ଓ ଖର୍ଚ୍ଚ ହେଉଛି ଅତିରିକ୍ତ ଇନ୍ଧନ । ସହରକୁ ସୁରକ୍ଷା ଦେବାକୁ ମୁତୟନ ହୋଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ୍ ଫୋର୍ସ । ଥାନାର ରୁଟିନ୍ କାମକୁ ଛାଡ଼ିଦେଲେ ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବା ପୋଲିସ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।
କରୋନା ମହାମାରୀ ସମୟରେ ବଢ଼ିଛି ପୋଲିସର କାର୍ଯ୍ୟ ସୀମା । ଆପରାଧିକ ଘଟଣାର ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ ଭିଆଇପି ସୁରକ୍ଷା ଭଳି ରୁଟିନ କାର୍ଯ୍ୟକୁ ଛାଡ଼ିଦେଲେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ପୋଲିସର ରହୁଛି ଏକ ବଡ଼ ଭୂମିକା । ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବାକୁ ପୋଲିସକୁ ମଧ୍ଯ ମିଳିଛି ଅଧିକ କ୍ଷମତା । ପୋଲିସକୁ ଯୋଗାଇ ଦିଆଯାଇଛି ଅଧିକ ଫୋର୍ସ, ଗାଡ଼ି ଏବଂ ଇନ୍ଧନ । ପାଟ୍ରୋଲିଂ ପାଇଁ ଭୁବନେଶ୍ଵର ପୋଲିସକୁ ମିଳିଛି ଅତିରିକ୍ତ ୪୫ଟି ଗାଡ଼ି । ଲକଡାଉନ ବେଳେ କେବଳ ଏପ୍ରିଲ ମାସରେ ଖର୍ଚ୍ଚ ହୋଇଛି ପ୍ରାୟ ୫୫,୦୦୦ ଲିଟର ଇନ୍ଧନ ।
ଲକଡାଉନ ଓ ସଟଡାଉନ ବେଳେ ସହରରେ ଅଧିକ ପାଟ୍ରୋଲିଂ ହେଉଛି । ଗଳି କନ୍ଦିରେ ବୁଲୁଛି ପିସିଆର । ସହରର ପ୍ରବେଶ ଓ ପ୍ରସ୍ଥାନ ପଥଗୁଡ଼ିକରେ କ୍ୟାମ୍ପ ଲଗାଇ ଚେକିଂ କରୁଛି ପୋଲିସ । ମୋବାଇଲ ପାଟ୍ରୋଲିଂ ଓ ଇକୋ ପାଟ୍ରୋଲିଂ ପାଇଁ ପିସିଆର ଭ୍ୟାନକୁ ଛାଡ଼ିଦେଲେ ପୋଲିସକୁ ମିଳିଛି ଅତିରିକ୍ତ ୪୫ଟି ଗାଡ଼ି । ପ୍ରତି ଥାନାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ୨୨ଟି ଟ୍ରାଭେରା ।
କେବଳ ଏପ୍ରିଲ ମାସରେ ପୋଲିସର ପାଟ୍ରୋଲିଂ ବାବଦରେ ଖର୍ଚ୍ଚ ହୋଇଛି ପ୍ରାୟ ୪୫ ଲକ୍ଷ ଟଙ୍କାର ଇନ୍ଧନ । ମାର୍ଚ୍ଚ ଓ ଏପ୍ରିଲରେ ୭୨ଟି ସ୍ଥାନରେ ପୋଲିସ ବାରିକେଡ଼ ଲଗାଇ ଚେକିଂ କରିଥିଲା । ଚେକିଂ ଡ୍ୟୁଟିରେ ଲାଗିଥିଲେ ୩୫ ପ୍ଲାଟୁନ ଫୋର୍ସ । ଫୋର୍ସଙ୍କ ନେବା ଆଣିବା ଓ କ୍ୟାମ୍ପ ଲଗାଇବାରେ ଖର୍ଚ୍ଚ ହୋଇଛି ପ୍ରାୟ ୨୦ ଲକ୍ଷ ଟଙ୍କାର ଇନ୍ଧନ ।
ରାଜଧାନୀର ୨୨ଟି ଥାନାରେ ରହିଛି ୩୫ଟି ପିସିଆର । ରୁଟିନ୍ ପାଟ୍ରୋଲିଂ ପାଇଁ ପ୍ରତି ଥାନାକୁ ୩୦୦ରୁ ୪୦୦ ଲିଟର ଇନ୍ଧନ ଯୋଗାଇ ଦିଆଯାଉଛି ।
‘‘କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ସ୍ଥିତି। କେବେ ସ୍ଥିତିରେ ସୁଧାର ଆସିବ ତାହା କହିବା ମୁସ୍କିଲ । ଏଭଳି ସ୍ଥିତିରେ ପୋଲିସକୁ କେବଳ ପିସିଆର ଭ୍ୟାନ ଓ ଇନ୍ଧନ ଯୋଗାଇ ଦେଲେ ହେବ ନାହିଁ । ଥାନାରେ ଖାଲି ଥିବା ମାନବ ସମ୍ବଳ ପୂରଣ କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ପୂର୍ବତନ ଡିଜିପି ସଞ୍ଜିବ ମାରିକ ।
ରାଜଧାନୀର ପ୍ରାୟ ପ୍ରତି ଥାନାରେ ଖାଲି ପଡିଛି ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ପଦବୀ। କମ୍ କର୍ମଚାରୀଙ୍କୁ ନେଇ ତଦନ୍ତ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ଭିଆଇପି ସୁରକ୍ଷା କଷ୍ଟକର ହେଉଛି ବୋଲି କହିଛନ୍ତି ପୋଲିସ ଅଧିକାରୀମାନେ ।