ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
୯୧୧ ଅଗ୍ନିଯୋଦ୍ଧା ସାମିଲ ହେଲେ ଅଗ୍ନିଶମ ବାହିନୀରେ
ଡିସେମ୍ବର ସୁଦ୍ଧା ପୂରଣ ହେବ ଖାଲିଥିବା ୩୦୦ ପଦବୀ
ଗତ ଏକ ବର୍ଷରେ ଓଡ଼ିଶା ଅଗ୍ନିଶମ ୭୫୯୯ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି
ଉନ୍ନତ ପ୍ରଶିକ୍ଷଣ ପାଇଁ ୧୦ କୋଟିରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ସିମୁଲେଟର
ରାମଚଣ୍ଡୀ ଠାରେ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ
ରାମଚଣ୍ଡୀ ଠାରେ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ
ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ
‘ବେଷ୍ଟ ଇନ ଦ ବିଜନେସ୍’ – ମୁଖ୍ୟମନ୍ତ୍ରୀ
ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବୀ ପୂରଣ ହୋଇଛି । ସେମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି ଏବଂ ଏହାକୁ ଡିସେମ୍ୱର ସୁଦ୍ଧା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ବହୁ କଠିନ ପରିଶ୍ରମ କରିଥାନ୍ତି । ସେଥିପାଇଁ ସବୁବେଳେ ଓ ସବୁ ସମୟରେ ଶାରୀରିକ ଫିଟ୍ ରହିବା ଆବଶ୍ୟକ । ଏ ଦିଗରେ ଆଜି ନୂଆକରି ଦାୟିତ୍ୱ ନେଉଥିବା ଓ ବିଭାଗରେ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଅଗ୍ନିଯୋଦ୍ଧାମାନେ ସଚେତନ ରହିବା ଆବଶ୍ୟକ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ The best in business in the country ବୋଲି ସେ କହିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ ଟି ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍ ଆଟେଣ୍ଡ କରିଛନ୍ତି । ୭୫୯୯ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି । ଏ ସମସ୍ତ କାମ ସରକାରଙ୍କ ପାଇଁ ସୁନାମ ଆଣିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ବର୍ତ୍ତମାନର ପରିବର୍ତ୍ତନଶୀଳ ପରିବେଶକୁ ନେଇ ଆମକୁ ଆହୁରି ସୁଦୃଢ଼ ହେବାକୁ ପଡ଼ିବ । ନୂଆ ନୂଆ ଜ୍ଞାନ କୌଶଳ ପ୍ରୟୋଗ ବିଷୟରେ ଆମକୁ ସଜାଗ ହେବାକୁ ପଡ଼ିବ । ଏଥିପାଇଁ ଆମ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ଆମେ ଏକ ବିଶ୍ୱସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛୁ । ଏହି ସିମୁଲେଟର ମାଧ୍ୟମରେ ଆମ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ । ଏଥି ସହିତ କୋଣାର୍କର ରାମଚଣ୍ଡୀ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ୧୦ କୋଟି ଟଙ୍କା ବିନିମୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ । ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୋଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶା ଅଗ୍ନିଶମ ବିଭାଗକୁ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପ୍ରଶିକ୍ଷାର୍ଥୀଙ୍କ ପରିବାର ସଦସ୍ୟ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

