ନୂଆଦିଲ୍ଲୀ: ଟମାଟୋ ଚାଷ କରୁଥିବା ଚାଷୀମାନେ ୨୦୨୩ ବର୍ଷକୁ ନିଜ ଜୀବନ ସାରା ଭୁଲି ପାରିବେନି। ଜୁଲାଇରେ ହଠାତ୍ ଟମାଟୋ ଦରରେ ହୋଇଥିବା ବୃଦ୍ଧି ବହୁ ଚାଷୀଙ୍କୁ କୋଟିପତି କରିଦେଇଛି। ଟମାଟୋ ଚାଷରେ ଆଗୁଆ ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଅଧିକ ଟମାଟୋ ଚାଷୀ କୋଟିଏ ଟଙ୍କାରୁ ଅଧିକ ଆୟ କରିଛନ୍ତି। ଆନ୍ଧପ୍ରଦେଶର କରକାମଣ୍ଡା ଜିଲ୍ଲାର ଦୁଇ ଚାଷୀ ପି. ଚନ୍ଦ୍ରମୌଲି ଓ ପି. ମୁରଲୀ ୧୦ଲକ୍ଷ କେଜିରୁ ଅଧିକ ଟମାଟୋ ବିକି ୩ କୋଟି ଟଙ୍କା ଆୟ କରିଛନ୍ତି। ତେଲେଙ୍ଗାନାର ପୁଲୁମାମିଡି ଗ୍ରାମର ଚାଷୀ କେ. ଅନନ୍ତ ରେଡ୍ଡି ଟମାଟୋ ବିକ୍ରିରୁ ୨୦ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେ ନିଜ ପାଇଁ ଏକ ନୂଆ ଟ୍ରାକ୍ଟର୍ ଓ ହ୍ୟୁଣ୍ଡାଇ ଭେନ୍ୟୁ ଏସ୍ୟୁଭି କିଣିଛନ୍ତି। କର୍ଣ୍ଣାଟକର ଜଲାବିଗନାପାଲ୍ଲି ଗ୍ରାମର ୩୫ବର୍ଷୀୟ ଚାଷୀ ଅରବିନ୍ଦ ନିଜ ୫ଏକର ଜମିରେ ଟମାଟୋ ଚାଷ କରି ୧.୪ କୋଟି ଟଙ୍କା ରୋଜଗାର କରିବା ସହ ନିଜ ପାଇଁ ଏକ ଘର କିଣିଛନ୍ତି।ତେଲେଙ୍ଗାନାର ସିଡପାଲେ ଗ୍ରାମର ୧୫୦ ପାଖାପାଖି ଚାଷୀ ଟମାଟୋ ବିକ୍ରି କରି ୨-୩ କୋଟି ଟଙ୍କା ଆୟ କରିଛନ୍ତି। ଆୟ ବଢ଼ିବାରୁ ଜଣେ ଚାଷୀ ନିଜ ଝିଅକୁ ଇଞ୍ଜିନିୟରିଂ ପଢ଼ାଇବାକୁ ସାହସ ଜୁଟାଇ ପାରିଛନ୍ତି। କର୍ଣ୍ଣାଟକର ୪୯ ବର୍ଷୀୟ ଚାଷୀ ସୀତାରାମ ରେଡ୍ଡୀ ୬ ସପ୍ତାହରେ ୧.୫କୋଟି ଟଙ୍କା ରୋଜଗାର କରିଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ଆଉ ୫୦ ଲକ୍ଷ ରୋଜଗାର କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ମଧ୍ୟପ୍ରଦେଶରେ ଦେଶର ସର୍ବାଧିକ ଟମାଟୋ ଚାଷ ହେଉଥିଲେ ମଧ୍ୟ ସେଠାକାର ଚାଷୀମାନେ ବିଶେଷ ଲାଭବାନ ହୋଇନାହାନ୍ତି।