ଭୁବନେଶ୍ୱର: ବିଶିଷ୍ଟ ସମାଜ ସେବୀ, ଓଡିଆ ଭାଷା ସଂସ୍କୃତିର ପ୍ରଚାରକ ତଥା ବିଜୁ ପଟ୍ଟନାୟକ କଲେଜ ଅଫ୍ ହୋଟେଲ ମ୍ୟାନେଜମେଣ୍ଟଆଣ୍ଡ ସୋସିଆଲ୍ ୱାର୍କ, ବିଚୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ ଓ ଦି ମଦର ପବ୍ଲିକ୍ ସ୍କୁଲ୍ ଆଦି ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ସ୍ୱର୍ଗତ କାଳୀପ୍ରସାଦ ସାମନ୍ତାରାୟଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସମାବେଶ ଜଗନ୍ନାଥ ନଗର ସ୍ଥିତ ଶିକ୍ଷାନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପରିସରରେ ଥିବା ସ୍ୱର୍ଗତ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତିରେ ନିମନ୍ତ୍ରିତ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟ ବିଜେଡି ସଭା ସଚିବ ଏବଂ ମୋ ପରିବାରର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥି ଓ ବିଶିଷ୍ଟ ସମାଜସେବୀ ମଧୁସୂଦନ ଦାସ ରୂପେ ଯୋଗଦାନ କରି ସ୍ୱର୍ଗତ ସାମନ୍ତରାୟଙ୍କ ବୃକ୍ଷରୋପଣ, ରକ୍ତଦାନ, ଷଢେଇକଳା ଓ ଖରସୁଆଁ ଭଳି ବିଚ୍ଛିନ୍ନାଞ୍ଚଳରେ ଓହିଆ ଭାଷା ସଂସ୍କୃତିର ସୁରକ୍ଷା ତଥା ପ୍ରଚାର, ନାରୀ ସଶକ୍ତିକରଣ, ସବୁ ବର୍ଗର ଲୋକଙ୍କ ପାଇଁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ତଥା ସ୍ୱଚ୍ଛ ପରିବେଶ ଗଠନ ଆଦି ବିଭିନ୍ନ ଦିଗରେ ବିଶେଷ ଅବଦାନ ସଂପର୍କରେ ଆଲୋକପାତ କରି ତାଙ୍କ ବହୁମୁଖୀ ପ୍ରତିଭା ସ୍ମୃତିଚାରଣ ପୂର୍ବକ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ସୀତାବଲ୍ଲଭ ମହାପାତ୍ର କାଳୀବାବୁଙ୍କ ସଫଳ ବ୍ୟକ୍ତିତ୍ୱ, କର୍ମନିଷ୍ଠ ଜୀବନ ଓ ମଣିଷ ପଣିଆ ସମସ୍ତଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାବେଶରେ ବିଶ୍ୱନାଥ ଜେନା, ରାମଚନ୍ଦ୍ର ଭୋଳ ଓ ଅନେକ ଅତିଥି ବୃନ୍ଦ ସମେତ ଅନୁଷ୍ଠାନର ସମସ୍ତଙ୍କ ଅଧ୍ୟକ୍ଷ, କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା,ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଶ୍ରାଦ୍ଧବାର୍ଷିକ ଅବସରରେ ୧୦୯ ଥର ରକ୍ତଦାନ ଶିବିରରେ ଆୟୋଜନ କରିଥିବା ବିଜୁ ପଟ୍ଟନାୟକ ଶିକ୍ଷାନୁଷ୍ଠାନ ଓ କ୍ୟାପିଟାଲ୍ ହସ୍ପିଟାଲ ର ମିଳିତ ଆନୁକୁଲ୍ୟରେ ଏକାଧିକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ୩୦ଜଣ ଛାତ୍ରଛାତ୍ରୀ ତଥା କର୍ମଚାରୀ ଓ ଏହି ଅଞ୍ଚଳର ଅଧିବାସୀମାନେ ରକ୍ତଦାନ କରିଥିଲେ । ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା ।