ଭୁବନେଶ୍ବର : ଭାରତୀୟ ଜନମାନସରେ ଚାଣକ୍ୟ ତାଙ୍କର ନୀତି ଲାଗି ଅତ୍ୟନ୍ତ ଆଦରଣୀୟ। ପ୍ରାଚୀନ ଭାରତର ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ବି ବେଶ ପରିଚିତ। ପୁଣି କାଳଜୟୀ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା ସେ।ନିଜ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି ଚାଣକ୍ୟ । ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ହିସାବରେ ସ୍ବାମୀ ଯେତେ ବିଶ୍ବସ୍ତ ହେଲେ ବି ପତ୍ନୀଙ୍କୁ ୩ଟି କଥା ତାଙ୍କଠାରୁ ଗୋପନ ରଖିବା ଉଚିତ। ସ୍ବାମୀଙ୍କୁ କିଛି ମହିଳା ଏତେ ବିଶ୍ବାସ କରି ଦେଇଥାନ୍ତି ଯେ ତାଙ୍କ ସମ୍ମୁଖରେ ନିଜ ବାପଘରର ଗୁମର ବି କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ମାତ୍ର ଏପରି କରିବାକୁ ଚାଣକ୍ୟ ବାରଣ କରିଛନ୍ତି। ସେ କହିଛନ୍ତି କି ସ୍ବାମୀ ଯେତେ ବିଶ୍ବାସ ଯୋଗ୍ୟ ହେଲେ ବି ତାଙ୍କ ସମ୍ମୁଖରେ କେବେ ବାପଘରର ଗୋପନ କଥା କହନ୍ତୁ ନାହିଁ। କାରଣ ସମୟ ଆସିଲେ ଆପଣ ଏଥିପାଇଁ ଅସୁବିଧାରେ ପଡ଼ିପାରନ୍ତି। ପତ୍ନୀମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ସେମାନଙ୍କୁ ଖାଲିଟାରେ ଲକ୍ଷ୍ମୀ କୁହାଯାଏ ନାହିଁ, ତାହା ପଛରେ ବି କାରଣ ରହିଛି। ପୁରୁଷ ଲୋକ ଟଙ୍କା ଖର୍ଚ୍ଚ କରିବା ବେଳେ ସେତେ ଚିନ୍ତା କରନ୍ତିନି ଯେତେ ଜଣେ ନାରୀ କରେ। ନାରୀମାନଙ୍କ ଦ୍ବାରା ସଞ୍ଚୟ ଭଲ ହୁଏ। ହେଲେ ମନେ ରଖନ୍ତୁ ସମସ୍ତ ସଞ୍ଚୟ ବିଷୟରେ ନିଜ ସ୍ବାମୀଙ୍କୁ କହିବା ଅନୁଚିତ। ଏପରି କିଛି ସଞ୍ଚିତ ଗୁପ୍ତ ଧନ ରଖନ୍ତୁ, ଯାହାକୁ ଆବଶ୍ୟକ ସମୟରେ ପରିବାର ପାଇଁ କାଢ଼ିବେ।ମହିଳାମାନେ ଦାନ, ଧର୍ମରେ ବିଶ୍ବାସ କରନ୍ତି। ମାତ୍ର ଅଧିକାଂଶ ପୁରୁଷ ଏହାକୁ ବିରୋଧ କରିଥାନ୍ତି। ମହିଳାମାନେ ଯେଉଁ ଦାନ କରନ୍ତି ତାହା ପୁରୁଷମାନଙ୍କୁ କହିବା ଅନୁଚିତ। ନହେଲେ ତାହାର ମୂଲ୍ୟ ହ୍ରାସ ପାଇଥାଏ।
