ଅର୍ଚ୍ଚନାଙ୍କ ରଙ୍ଗଶାଳା ଯାଉଥିଲେ ୧୮ ବିଧାୟକ, ଡ୍ରଗ୍ସ ଆସର ବି ଜମୁଥିଲା

Top Storise ରାଜ୍ୟ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଅର୍ଚ୍ଚନାଙ୍କ ପ୍ରାସାଦରେ କେବଳ ଯେ ରାତି ଅଧରେ ରଙ୍ଗୀନ ଆସର ଜମୁଥିଲା ତାହା ନୁହେଁ ସେଠାରେ ବେଧଡ଼କ ଭାବେ ଡ୍ରଗ୍ସ କାରବାର ଚାଲିଥିଲା ବୋଲି ବି ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ବାବୁ ସିଂଙ୍କ ଅଭିଯୋଗ ଅନୁଯାୟୀ, ବିଜେଡିର ବହୁ ଯୁବ ନେତା ଅର୍ଚ୍ଚନାଙ୍କ ଘରକୁ ବେଧଡ଼କ ଯିବା ଆସିବା କରୁଥିଲେ। ଅର୍ଚ୍ଚନାଙ୍କ ସାମ୍ରାଜ୍ୟରେ କେବଳ ଯେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ତାହା ନୁହେଁ, ଡ୍ରଗ୍ସର ପସରା ବି ମେଲୁଥିଲା। ଏହାର କାର୍ପଟଦାର ଥିଲେ ଖୋଦ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଏହି ଘଟଣାରେ ବହୁ ବଡ଼ବଡ଼ିଆ ସାମିଲ ଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ୍‌ ଉପରଠାଉରିଆ ଭାବେ ଏହାର ତଦନ୍ତ କରି ଏହାକୁ ଚପାଇବାକୁ ଭରପୂର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।

ଅର୍ଚ୍ଚନାଙ୍କ ନାଗଫାଶରେ ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ଛନ୍ଦି ହୋଇଥିବା ବିଭିନ୍ନ ସୂତ୍ରରୁ ସୂଚନା ପ୍ରସାରିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ ବିଧାୟକ ଥିବା କୁହାଯାଇଛି। ଯେଉଁମାନଙ୍କ ମଧ୍ୟରେ ଅଧାରୁ ଅଧିକ ବିଜେଡି ଏମଏଲଏ ଥିବା ବେଳେ ୩ ମନ୍ତ୍ରୀ ବି ସାମିଲ ଅଛନ୍ତି। ତେଣୁ ତଦନ୍ତରେ ଶିଥିଳତା ଦେଖାଯାଉଥିବା ଚର୍ଚ୍ଚା ହେଉଛି। ଏପରିକି ଗିରଫଦାରୀର ସପ୍ତାହେ ପରେ ବି ପୁଲିସ୍‌ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାର ନାଁ ଧରୁନି।

ଅର୍ଚ୍ଚନା ନାଗ ଓ ତା ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହ ମାଳ ମାଳ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅନେକ ନେତା ଅର୍ଚ୍ଚନାଙ୍କୁ ଚିହ୍ନନ୍ତିନି କି ଜଣନ୍ତିନି ବୋଲି ପ୍ରତିକ୍ରିୟା ରଖିଛନ୍ତି। ପୁଲିସ ମଧ୍ୟ ସେ ଦିଗରେ ସକ୍ରିୟତାର ସହ ତଦନ୍ତ କରୁନାହିଁ।

ଜଣେ ପୀଡ଼ିତା ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କ କଳାଧନ୍ଦାର ଗୁମର ଧୀରେ ଧୀରେ ଫିଟିବା ଆରମ୍ଭ କରିଛି। ତେବେ ପୁଲିସ୍‌ ଉକ୍ତ ଯୁବତୀଙ୍କୁ ଡାକି ପଚରାଉଚରା କରୁ ନାହିଁ କି ମାଜିଷ୍ଟ୍ରେଟଙ୍କ ଅଗରେ ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରୁନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅର୍ଚ୍ଚନା ମାମଲାରେ ବହୁ ବଡ଼ ବଡ଼ ମୁଣ୍ଡ ସାମିଲ ଥିବା ବେଳେ ପୁଲିସ୍‌ କାହାକୁ ତଦନ୍ତ ପରିସରକୁ ନେବ ଜାଣିପାରୁନି। ଖଣ୍ଡଗିରି ଥାନାରେ ଜଣେ ଯୁବତୀ କରିଥିବା ଅଭିଯୋଗ ଆଧାରରେ ପୁଲିସ୍‌ ଅର୍ଚ୍ଚନାଙ୍କୁ ତରବରିଆ ଭାବେ ଗିରଫ ତ କରିଦେଲା ହେଲେ ଏବେ ତାର ବୁଦ୍ଧି ବାଟବଣା ହେବାରେ ଲାଗିଲାଣି। ଏଥିରେ ଶାସକ ଦଳର ମାଳମାଳ ନେତା ସାମିଲ ଥିବା ଅଭିଯୋଗ ହେବା ପରେ ପୁଲିସ୍‌ ବଡ଼ବଡ଼ିଆଙ୍କ ଦେହରେ ହାତ ମାରିବାକୁ ପଛଘୁଞ୍ଚା ଦେଉଛି। ତେଣୁ ଗିରଫଦାରୀର ସପ୍ତାହେରୁ ଅଧିକ ସମୟ ପରେ ବି ଜେଲ୍‌ରେ ଥିବା ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ନାଁ ଧରୁନି ପୁଲିସ୍‌।

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି। ବହୁ ଆଇଏଏସ୍, ଆଇପିଏସ୍ ଅଫିସର ମଧ୍ୟ ସାମିଲ ଅଛନ୍ତି। ଅର୍ଚ୍ଚନାଙ୍କ ନାଗ ଫାଶରେ ଯେତେ ହାଇ ପ୍ରୋଫାଇଲ ନେତା ସାମିଲ ହୋଇଛନ୍ତି, ସତ ସାମ୍ନାକୁ ଆସିଲେ ସରକାର ଭାଙ୍ଗିଯିବ। ଅର୍ଚ୍ଚନାଙ୍କ ଲାପଟପ୍ ଓ ମୋବାଇଲରେ ସବୁ ତଥ୍ୟ ରହିଛି। ପୁଲିସ୍‌ ସବୁ ଜବତ କରିଛି, ହେଲେ ପାଟି ଫିଟାଉନି, ତଦନ୍ତ ଚାଲିଛି କହି ଦିନ ଗଡ଼ାଇବାରେ ଲାଗିଛି।

ଅପରପକ୍ଷେ, ଏହି ହାଇ ପ୍ରୋଫାଇଲ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଏହି ଘଟଣାରେ ବହୁ ନେତା, ଅଫିସର ସାମିଲ ଥିବା ଚର୍ଚ୍ଚା ହେଉଛି। ତେଣୁ ସିବିଆଇ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପ୍ରତାପ।

Leave a Reply

Your email address will not be published. Required fields are marked *