ପ୍ରଥମ ଟି-୨୦: ଟସ୍‌ ହାରିଲା ଭାରତ, ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କଲେ ଟିମ୍‌ ଡାଭିଡ୍‌

Top Storise ଦେଶ- ବିଦେଶ

ମୋହାଲି: ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌। ମୋହାଲିରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ଆଜି ଡେବ୍ୟୁ କରିଛନ୍ତି ଟିମ୍‌ ଡାଭିଡ୍‌।

ଦୀର୍ଘ ଦିନ ହେଲା ଆଇପିଏଲ ସମେତ ବିଭିନ୍ନ ଫ୍ରାଞ୍ଚାଇଜ୍‌ କ୍ରିକେଟ ଖେଳି ଆସୁଥିବା ଡାଭିଡ୍‌ ଆଜି ମୋହାଲି ମୈଦାନରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଓହ୍ଲାଇଛନ୍ତି। ସେ ଗତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। ଆଜି ତାଙ୍କୁ ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟର ମାଥ୍ୟୁ ୱେଡ୍‌ କ୍ୟାପ୍‌ ଦେଇ ଅଷ୍ଟ୍ରେଲିଆର ଜାତୀୟ ଟିମ୍‌କୁ ସ୍ୱାଗତ କରିଛନ୍ତି। ମିଚେଲ ମାର୍ଶ ଓ ମାର୍କସ ଷ୍ଟୋଇନିସଙ୍କ ଭଳି ଅଲରାଉଣ୍ଡ ଆହତ ହେବାକୁ ଡାଭିଡକୁ ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ସୁଯୋଗ ମିଳିଛି।

ଅନ୍ୟପକ୍ଷରେ  ଆହତ କାରଣରୁ ଦୀର୍ଘଦିନ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଟିମ୍‌ ଇଣ୍ଡିଆକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ଆଉ କିଛି ବିଶ୍ରାମ ଆବଶ୍ୟକ କରୁଥିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନାହିଁ।

ସେହିପରି ଆଜି ଦଳ ଋଷଭ ପନ୍ତଙ୍କ ବଦଳରେ ଦୀନେଶ କାର୍ତ୍ତିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ସେ ୱିକେଟ କିପିଂ କରିବେ। ସେହିପରି ଫର୍ମକୁ ନେଇ ସଂଘର୍ଷ କରୁଥିବା କେଏଲ ରାହୁଲଙ୍କୁ ପୁଣି ସୁଯୋଗ ଦିଆଯାଇଛି। ଅକ୍ଷର ପଟେଲ ଓ ୟୁଜଭେନ୍ଦର ଚହଲ ପ୍ଲେଇଂ ଇଲେଭେନରେ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୨ ବର୍ଷରୁ ଅଧିକ ଦିନ ପରେ ଉମେଶ ଯାଦବ ଟିମ୍‌ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି। ୨୦୧୯ ପରେ ତାଙ୍କୁ ଭାରତ ପାଇଁ ଟି-୨୦ ଖେଳିବାର ଦେଖିବାକୁ ମିଳି ନଥିଲା। ହେଲେ ଆଜି ସେ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି।

ତାଙ୍କ ସହ ଭୁବନେଶ୍ୱର କୁମାର ଓ ହର୍ଷଲ ପଟେଲ ଦ୍ରୁତି ବୋଲିଂର କମାଣ ସମ୍ଭାଳିବେ। ଏମାନଙ୍କୁ ସାଥ ଦେବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ମଧ୍ୟକ୍ରମର ଦାୟିତ୍ୱ ବିରାଟ କୋହଲି ଓ ସୂର୍ଯ୍ୟ କମାର ଯାଦବ ନ୍ୟସ୍ତ କରାଯାଇଛି।

ଟିମ ଇଣ୍ଡିଆ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମେଶ ଯାଦବ ଓ ୟୁଜି ଚହଲ।

ଟିମ୍‌ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ, କ୍ୟାମେରନ ଗ୍ରୀନ, ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଙ୍ଗଲିସ, ଟିମ୍‌ ଡାଭିଡ, ମାଥ୍ୟୁ ୱେଡ, ପ୍ୟାଟ କମିନ୍ସ, ନାଥନ ଇଲିସ, ଆଡାମ ଜାମ୍ପା ଓ ଜୋଶ ହେଜେଲଉଡ।

Leave a Reply

Your email address will not be published. Required fields are marked *