୩ ଗୋଲ୍ଡ ମେଡାଲିଷ୍ଟ: ବାପା-ପୁଅ ଓ ଝିଅ

Top Storise ଦେଶ- ବିଦେଶ

ଜୟପୁର: ବାପା ଚାମ୍ପିୟନ୍, ପୁଅ ବି ଚାମ୍ପିୟନ ଓ ଝିଅ ସୁପର ଚମ୍ପିୟନ। ଗୋଟିଏ ମଞ୍ଚରେ ସମାନ ଅତିଥିଙ୍କ ଠାରୁ ବାପା, ପୁଅ ଓ ଝିଅ ହାତେଇଛନ୍ତି ପଦକ। ଏହି ପଦକ ପୁଣି ରୌପ୍ୟ କି କାଂସ୍ୟ ନୁହେଁ, ୩ ଜଣ ଯାକ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜୟପୁରର ବିଶ୍ୱନାଥ ନାୟକଙ୍କ ଘରେ ଏବେ ତିନି ଜଣ ଗୋଲ୍ଡ ମେଡାଲିଷ୍ଟ। ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ପାୱାରଲିଫଟିଂକୁ ନିଜର ନିଶା ଭାବେ ଆପଣାଇ ନେଇଛନ୍ତି।

କେବଳ ସେମାନେ ଆପଣାଇ ନାହାନ୍ତି, ବରଂ ବାପାଙ୍କ ଭଳି ପଦକ ପରେ ପଦ ହାତେଇ ଚାଲିଛନ୍ତି। ଗୋଟିଏ ଘରେ ୩ ଜଣ ରହୁଥିଲେ ବି କେହି ବି କାହାଠାରୁ କମ୍ ନୁହନ୍ତି। ଜୟପୁର ସୌରା ସାହିରେ ରୁହନ୍ତି ବିଶ୍ୱନାଥ ନାୟକଙ୍କ ପରିବାର। ପାୱାରଲିଫଟିଂ ବା ଶକ୍ତି ଉତ୍ତୋଳନରେ ମାଷ୍ଟର ହେଉଛନ୍ତି ବାପା, ଝିଅ ଏବଂ ପୁଅ।

ନିକଟରେ ରାୟଗଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ତିନି ଜଣ ଯାକ ମାରିଛନ୍ତି ବାଜି। ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜ ନିଜ ବିଭାଗରେ ହୋଇଛନ୍ତି ଏକ ନମ୍ବର। ନିଜ ପିଲାଙ୍କ ସହ ଗୋଟିଏ ଷ୍ଟେଜରେ ନିଜର ଦକ୍ଷତା ପ୍ରଦର୍ଶନ କରି ବାପା ବିଶ୍ୱନାଥ ମଧ୍ୟ ବେଶ ଖୁସି ହୋଇଯାଇଛନ୍ତି।

ସେ କହିଛନ୍ତି, “କଳିଙ୍ଗ ଷ୍ଟେଟ ପାୱାର ଲିଫଟିଂରେ ଜୟପୁରର ୨୫ ଜଣ ଭାଗ ନେଇଥିଲେ। ସବୁ ପିଲା ଭଲ ପ୍ରଦର୍ଶନ କରିଛନ୍ତି। ବ୍ୟକ୍ତିଗତ ଭାବେ କହିବାକୁ ଗଲେ ମୁଁ, ମୋ ପୁଅ ଓ ମୋ ଝିଅ ଗୋଟିଏ ମଞ୍ଚରେ ନିଜର କଳାକୃତି ଦେଖାଇଥିଲୁ। ମୋ ପୁଅ ୩ଟି ବିଭାଗରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଝିଅ ଗୋଟିଏ ସ୍ୱର୍ଣ୍ଣ ଜିତିଛି। ମୁଁ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାତେଇଛି।

+୨ରେ ପଢ଼ିବା ବେଳ ଠାରୁ ମୋର ଏହି ଗେମ୍‌ ପ୍ରତି ଆଗ୍ରହ ଥିଲା। କିନ୍ତୁ ସଫଳତା ବହୁତ ବିଳମ୍ବରେ ମିଳିଲା। ଏବେ ପୁଅ ଓ ଝିଅଙ୍କ ସହ ଏକାଠି କାମ କରୁଥିବାରୁ ବେଶ ଖୁସି ଲାଗୁଛି। ଜୟପୁରରୁ ପ୍ରତିଯୋଗିତାକୁ ଯାଇଥିବା ୨୫ ଜଣ ଅତିଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ବିଶେଷ କରି ଝିଅଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା। ଜଗା ସାହୁ ଓ ଶ୍ରୀନିବାସ ସେଠୀ ମଧ୍ୟ ଭଲ ପ୍ରଦର୍ଶନ କରି ପଦକ ଜିତିଛନ୍ତି।”

ବିଶ୍ୱନାଥଙ୍କ ପୁଅ ବିବେକଙ୍କ ବୟସ ୧୮ ଓ ୧୧ ବର୍ଷର ଝିଅ ବୈଭବୀ ବାପାଙ୍କ ସହ ମିଶି ସବୁବେଳେ ଅଭ୍ୟାସ କରନ୍ତି। ପ୍ରତିଦିନ ସକାଳେ ବାପାଙ୍କ ସହ ମିଶି ଉଭୟ ପାୱାର ଲିଫଟିଂ କରନ୍ତି। ଘରେ କିନ୍ତୁ ଅଭ୍ୟାସ ବେଳେ ବାପାଙ୍କୁ ଗୁରୁ ବୋଲି ସମ୍ବୋଧନ କରନ୍ତି ବିବେକ ଓ ବୈଭବୀ।

ବିଶ୍ୱନାଥଙ୍କ ସହ ଅନ୍ୟ ଖେଳାଳି ବି ଘଣ୍ଟା ଘଣ୍ଟା ପରିଶ୍ରମ କରନ୍ତି । ଯାହା ଏବେ କଳିଙ୍ଗ ଷ୍ଟେଟ ପାୱାରର ରେଜଲ୍ଟରୁ ଦେଖିବାକୁ ମିଳିଛି। ପୂର୍ବରୁ ବିଶ୍ୱନାଥ ଓ ଝିଅ ବୈଭବୀ ଅନେକ ମେଡାଲ୍ ଆଣିଥିଲେ। ଗତ ଅଗଷ୍ଟ ମାସରେ ଭୁବନେଶ୍ୱରରେ ଆୟୋଜିତ ରେଲେୱେ ଓଡ଼ିଶା ଷ୍ଟେଟ୍ ଚାମ୍ପିୟନଶିପରେ ବାଜି ମାରିଥିଲେ ଉଭୟ ବିଶ୍ୱନାଥ ଓ ବୈଭବୀ। ଆଉ ଏବେ ପୁଅ ବି ଡେବ୍ୟୁରେ କମାଲ କରି ଡବଲ ସ୍ୱର୍ଣ୍ଣ ହାତେଇଛନ୍ତି। ଆଗାମୀ ଦିନରେ ଜାତୀୟସ୍ତରରେ ରାଜ୍ୟ ପାଇଁ ଗର୍ବ ଆଣିବାକୁ ବିବେକ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *