ଭାରତ ସହ ସଂଘର୍ଷ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲା ଚାଇନା

Top Storise ଦେଶ- ବିଦେଶ

ବେଜିଂ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷକୁ ନେଇ ମୁହଁ ଖୋଲିଛି ବେଜିଂ। ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସେନା ଏଲଏସି ନିକଟରେ ମାରପିଟ୍‌ ହୋଇଥିଲେ। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଚାଇନା ସରକାର ସୀମାରେ ସବୁ କିଛି ସ୍ଥିର ରହିଥିବା କହିଛନ୍ତି।

ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, “ଆମେ ଯାହା ବର୍ତ୍ତମାନ ଯାଏ ବୁଝିଛୁ ଚାଇନା-ଭାରତ ସୀମାରେ ପରିସ୍ଥିତି ସଂପୂର୍ଣ୍ଣ ଭାବେ ସ୍ଥିର ରହିଛି। ଦୁଇ ଦେଶ ମିଳିତ ଭାବେ ସୀମା ପ୍ରସଙ୍ଗରେ ନିୟମିତ ଭାବେ କୂଟନୀତିକ ଓ ମିଲିଟାରୀ ଚ୍ୟାନେଲ୍ସଗୁଡ଼ିକ ଜରିଆରେ ଆଲୋଚନା କରୁଛନ୍ତି। ତେଣୁ ଏହାକୁ ନେଇ କେହି କିଛି ଚିନ୍ତା କରିବା ଆବଶ୍ୟକ ନାହିଁ।”

ଡିସେମ୍ବର ୯ ତାରିଖରେ ତୱାଙ୍ଗ ସେକ୍ଟରର ଏଲଏସି ନିକଟରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଏକାଧିକ ଯବାନ ଆହତ ହୋଇଛନ୍ତି। ଡ୍ରାଗନ ସେନାର ପ୍ରାୟ ୨୦୦ରୁ ଅଧିକ ଯବାନ ହଠାତ୍‌ ଏଲଏସି ଅତିକ୍ରମ କରି କାଠ ଫାଳିଆ, ଲୁହା ରଡ ଓ କାଠ ଫାଳିଆରେ ଗୁଡ଼ା ଯାଇଥିବା ଲୁହା ତାର ଦ୍ୱାରା ଗଣ୍ଡଗୋଳ କରିଥିଲେ। ଭାରତୀୟ ସେନା ଯବାନ ଏହାର ମୁକାବିଲା କରିଥିଲେ। ଚାଇନିଜ ସୈନ୍ୟ ହଠାତ ଏଲଏସି ଡେଇଁ ଭାରତର ଗୋଟିଏ ଅଂଶକୁ ନିଜର ବୋଲି ଦାବି କରିଥିଲେ।

ତେବେ ଭାରତୀୟ ସେନା ଚାଇନାର କୌଣସି ଯୋଜନାକୁ ସଫଳ ହେବାକୁ ଦେଇନି। ଯବାନମାନେ କଡ଼ା ମୁକାବିଲା କରିବାରୁ ଚାଇନିଜ ଟ୍ରୁପ୍ସ ପୁଣିଥରେ ନିଜ ପୋଷ୍ଟକୁ ଫେରି ଯାଇଥିଲେ। ଏହି ଘଟଣା ପରେ ସୀମାରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଏହାକୁ ପ୍ରଶମିତ କରିବା ପାଇଁ ଦୁଇ ଦେଶର ଏରିଆ କମାଣ୍ଡର ବୈଠକ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *