ବ୍ୟୁରୋ : ଝାରସୁଗୁଡାରେ କିଏ ହେବ ବିଜେପି ପ୍ରାର୍ଥୀ? ଏନେଇ ଚାଲିଛି ଅଙ୍କ କଷା। ଯିଏ ହେଉନା କାହିଁକି ଚର୍ଚ୍ଚାରେ “ଡବଲ୍ ଇଞ୍ଜିନ୍” ଡ଼ାଇଲଗ୍। ଡବଲ ଇଞ୍ଜିନ କରିବା ପାଇଁ ପ୍ରୟାସ କରୁଥିବା ବିଜେପି ଧାମନଗର ପରେ ଝାରସୁଗୁଡ଼ା ହାତେଇବାକୁ ପୁରା ତୟାରୀ କରିସାରିଛି। ଏପଟେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏପରି କିଛି ବିଷ୍ପୋରକ ତଥ୍ୟ ଦେଇଛନ୍ତି ବିଜେପିର ନୂଆ ମଙ୍ଗୁଆଳ ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ରାଜ୍ୟରେ ସରକାର କରିବା ପାଇଁ କେନ୍ଦ୍ରୀୟ ନେତା ସହଯୋଗ କରିବେ ବୋଲି କହିଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ ନେଇ କେନ୍ଦ୍ର ନେତୃତ୍ବ ସିରିଅସ୍ ଅଛନ୍ତି। ଓଡ଼ିଶା ଲୋକ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀ ନେତା ଜାଣିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପ୍ଲାନ୍ ରହିଛି।
ଏଣେ ବିଜେଡି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି କେବେ କରିବ ବୋଲି ପ୍ରଶ୍ନ କରାଯିବାରୁ ମନମୋହନ ସାମଲ କହିଛନ୍ତି, ଦଳ ଦିନେ ଦୁଇ ଦିନ ଭିତରେ ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିବ। ଏଥିନେଇ କୌଣସି ଦ୍ବନ୍ଦ୍ବ ନାହିଁ।
ସୂଚନାଯୋଗ୍ୟ, ଦିଲ୍ଲୀ ଗସ୍ତରେ ଯାଇ ରାଜ୍ୟ ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଏହାଛଡ଼ା ଶ୍ରୀ ସାମଲ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ସାଧାରଣ ସଂପାଦକ ବି.ଏଲ୍ ସନ୍ତୋଷ, ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବନସଲଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ଦଳର ଜାତୀୟ ମୁଖ୍ୟାଳୟରେ ହୋଇଥିବା ଏହି ଆଲୋଚନାରେ ଝାରସୁଗୁଡ଼ା ଉପନିର୍ବାଚନ, ଓଡ଼ିଶାରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବା ଓ ଭବିଷ୍ୟତ ରଣନୀତି ଆଦି ଉପରେ ଆଲୋଚନା ହୋଇଥିଲା।