ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବା ଶିବିର ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିନ୍ଦେ କୋର୍ଟରେ ଏକ ନୂଆ ଆଫିଡେଭିଟ୍ ବା ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଦ୍ଧବ ଶିବିର ଦାଖଲ କରିଥିବା ଆବେଦନକୁ ଖାରଜ କରିବାକୁ ଦାବି କରାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଭାରତର ନିର୍ବାଚନ ଆୟୋଗଙ୍କୁ ‘ପ୍ରକୃତ’ ଶିବସେନା ବାଛିବା ପାଇଁ ଅନୁମତି ଦିଆଯାଉ। ଅଗଷ୍ଟ ୮ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀର ଦାବି ଏବଂ ଆପତ୍ତି ରଖିବାକୁ କହିଛି। ଏପରି ସ୍ଥିତିରେ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଉଦ୍ଧବ ଶିବିର ଆବେଦନରେ ବିଦ୍ରୋହୀ ବିଧାୟକଙ୍କ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗକୁ କୌଣସି ନିଷ୍ପତ୍ତି ନ ନେବାକୁ ଦାବି କରାଯାଇଥିଲା। ୧୫ ଜଣ ବିଧାୟକ ୩୯ ବିଦ୍ରୋହୀ ଗୋଷ୍ଠୀକୁ ଡାକି ପାରିବେ ନାହିଁ ବୋଲି ସିନ୍ଦେ କହିଛନ୍ତି। ଏଥିସହିତ ସିନ୍ଦେଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି, ‘ନିର୍ବାଚନ ଆୟୋଗ ଦଳର ସ୍ୱୀକୃତି ଏବଂ ପ୍ରତୀକ ପ୍ରସଙ୍ଗରେ କାମ କରନ୍ତି। ଯଦି ସମସ୍ତ ପକ୍ଷ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବା ଆରମ୍ଭ କରନ୍ତି, ତେବେ ଏପରି ଅଧିକାରର କ’ଣ ଆବଶ୍ୟକ?
ସତ୍ୟପାଠରେ ଆହୁରି କୁହାଯାଇଛି ଯେ ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ବାଚସ୍ପତି ନିଷ୍ପତ୍ତି ନେବା ଉଚିତ ଏବଂ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏହା ସହିତ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ଆସ୍ଥା ଭୋଟ୍ ନିଷ୍ପତ୍ତି ମଧ୍ୟ ଏହି ସତ୍ୟପାଠରେ ଉଲ୍ଲେଖ ରହିଛି। ଏହି ନିଷ୍ପତ୍ତିକୁ ଉଦ୍ଧବ ଶିବିର ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି।