ମାଲକାନଗିରିରେ ବ୍ୟାପୁଛି ଅଜଣା ରୋଗ! ୧୦ ଦିନରେ ଗଲାଣି ୬ ଜୀବନ

Top Storise ରାଜ୍ୟ

ମାଲକାନଗିରି: ଅଜଣା ରୋଗ ନେଉଛି ଜୀବନ। ୧୦ ଦିନରେ ୬ ଜଣଙ୍କ ଜୀବନ ଗଲାଣି। ୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ହେଲେ ସେମାନେ ମେଡ଼ିକାଲ୍‌ ଯିବା ପରିବର୍ତ୍ତେ ଗୁଣି ଗାରେଡିର ଆଶ୍ରୟ ନେଉଛନ୍ତି। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ। ଏ ସମ୍ପର୍କରେ ଖବର ପାଇଁ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌।

ମାଥିଲି ବ୍ଲକ୍‌ ହଳଦୀକୁଣ୍ଡ ଗାଁରେ ଅଜଣା ରୋଗର ଆତଙ୍କ। ୧୦ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି। ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଗୋଡ଼ ଫୁଲି ଯାଉଛି। ପରେ ଜ୍ୱର ଆସୁଛି। ଆଉ ତା’ର ତିନିରୁ ଚାରି ଦିନ ଭିତରେ ଉଡି ଯାଉଛି ପ୍ରାଣବାୟୁ। ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୁରୁବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଅଜଣା ରୋଗରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ୁଥିବା ବେଳେ ହଳଦୀକୁଣ୍ଡ ଲୋକେ ଚିକିତ୍ସାଳୟକୁ ଯାଉନାହାନ୍ତି। ସେମାନେ ଗୁଣିଗାରେଡି ଓ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି। ଗାଁର କୌଣସି ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେଲେ ସଙ୍ଗେ ସଙ୍ଗେ ଦିଶାରୀଙ୍କ ପାଖକୁ ଧାଇଁ ଯାଉଛନ୍ତି। ଦିଶାରୀ ରୋଗୀଙ୍କୁ ଦେଖି ଝଡାଫୁଙ୍କାରେ ଲାଗି ପଡ଼ୁଛି। ଆଉ ଜଣେ ପୋଖତ ଚିକିତ୍ସକ ପରି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି।

ଅଜଣା ରୋଗରେ ଜୀବନ ଯାଉଥିବା ଖବର ପାଇ ଡାକ୍ତରୀ ଟିମ୍‌ ହଳଦୀକୁଣ୍ଡ ଗାଁରେ ପହଞ୍ଚିଛି। କିଛି ରୋଗୀଙ୍କ ଚିକିତ୍ସ ଆରମ୍ଭ କରିଛି। କିନ୍ତୁ ଡାକ୍ତରୀ ଟିମକୁ କେତେକ ଗାଁ ଲୋକ ଘର ଭିତରେ ପଶିବାକୁ ଦେଉନାହାନ୍ତି। ଏପରିକି ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ଚିକିତ୍ସା କଲେ ମୃତ୍ୟୁ ହେଉଥିବା ସନ୍ଦେହ କରି ରୋଗୀମାନ ଚିକିତ୍ସାଳୟ ଆସୁନଥିବା ଆଲୋଚନା ହେଉଛି।

ବିରୋଧ ସତ୍ତ୍ୱେ ଡାକ୍ତରୀ ଟିମ୍‌ ଗାଁର କେତେକ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଛି। ଗାଁ ଲୋକଙ୍କୁ ସଚେତନତା କରାଉଛନ୍ତି। ମେଡିକାଲ୍‌ ଟିମ୍‌ର ଚିକିତ୍ସାରେ କ୍ୱାକ୍‌(ନକଲି ଡାକ୍ତର) ବ୍ୟାଘାତ ସୃଷ୍ଟି କରୁଛନ୍ତି। ଏନେଇ ମେଡ଼ିକାଲ୍‌ ଟିମ୍‌ ପକ୍ଷରୁ ମାଥିଲି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଜଣେ କ୍ୱାକ୍‌କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *