ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କୀ

Top Storise ଦେଶ- ବିଦେଶ

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀରରେ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ଆତଙ୍କବାଦୀମାନେ ଶୋପିଆନରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କଶ୍ମୀର ପଣ୍ଡିତ ଜଣଙ୍କ ତାଙ୍କ ଘର ବାହାରେ ଥିବା ବେଳେ ଆତଙ୍କୀମାନେ ତାଙ୍କୁ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା କଶ୍ମୀର ପଣ୍ଡିତ ଜଣଙ୍କ ହେଲେ ପୂରନ କୃଷ୍ଣ ଭଟ। ଆଜି ସକାଳେ କୃଷ୍ଣ ଶୋପିଆନର ଚୌଧୁରୀ ଗୁଣ୍ଡ ସ୍ଥିତ ତାଙ୍କ ଘର ବାହାରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କୁ ଆତଙ୍କବାଦୀମାନେ ପଛପଟୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଶୋପିଆନ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ଫେରାର ଆତଙ୍କୀଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏଯାଏ ଆତଙ୍କୀମାନଙ୍କ କୌଣସି ପତ୍ତା ମିଳି ନଥିବା କଶ୍ମୀର ଜୋନ ପୁଲିସ୍‌ ଟ୍ୱିଟ କରି ସୂଚନା ଦେଇଛି।

ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ପୂର୍ଣ୍ଣଙ୍କୁ ତାଙ୍କ ଘର ପାଖରେ ପଛ ପଟୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ତାଙ୍କର ନିଜସ୍ୱ ବ୍ୟବସାୟ ଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ଝିଅ ୭ମ ଶ୍ରେଣୀ ଓ ପୁଅ ୫ମ ଶ୍ରେଣୀରା ପଢ଼ୁଛନ୍ତି।” ଏହି ଘଟଣାକୁ ନେଇ ଘାଟିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *