ପୁଣି ଉତ୍ତର ପ୍ରଦେଶରୁ ଆସିଛି ଯୌତୁକ ନିର୍ଯାତନାର ଭୟଙ୍କର ଚିତ୍ର। କିଛି ଦିନ ତଳେ ଗ୍ରେଟର ନୋଏଡାରେ ୨୬ ବର୍ଷୀୟ ନିକ୍କି ଭାଟିଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକ ଜୀବନ୍ତ ପୋଡ଼ି ମାରି ଦେଇଥିଲେ। ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକ ସବୁ ସୀମା ପାର କରି ଯାଇଛନ୍ତି।
ସେମାନେ ଘରର ବୋହୂଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ଏବେ ମହିଳା ଜଣଙ୍କ ହସ୍ପିଟାଲ ବେଡରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏନେଇ ଘରର ୬ ଜଣଙ୍କ ବିରୋଧରେ ମାମଲା ହୋଇଛି। ଏମାନଙ୍କ ମଧ୍ୟରେ ମହିଳାଙ୍କ ପୁଲିସ୍ କନଷ୍ଟେବଲ ସ୍ୱାମୀ ମଧ୍ୟ ରହିଛନ୍ତି। ସେ ହିଁ ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ପୂରା ଘଟଣା ନାରଙ୍ଗପୁର ଗାଁରେ ଘଟିଛି। ପୀଡ଼ିତା ଜଣଙ୍କ ହେଲେ ୩୨ ବର୍ଷୀୟ ପାରୁଲ। ସେ ପେଶାରେ ଜଣେ ନର୍ସ। ପୋଡ଼ି ଯାଇ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀକୁ ପଠାଯାଇଛି।
ପାରୁଲଙ୍କ ପତ୍ନୀ ଦେବେନ୍ଦ୍ର ଜଣେ କନଷ୍ଟେବଲ। ସେ ଉତ୍ତର ପ୍ରଦେଶ ପୁଲିସ୍ରେ କାମ କରନ୍ତି। ନିକଟରେ ରାମପୁରରୁ ତାଙ୍କର ବଦଳି ବରେଲୀକୁ ହୋଇଥିଲା। ଘଟଣା ବେଳେ ସେ ଛୁଟି ନେଇ ଘରେ ଥିଲେ। ପୁଲିସ୍ର କହିବା କଥା ଦେବେନ୍ଦ୍ର ଓ ତାଙ୍କ ସମ୍ପର୍କୀୟମାନେ ପାରୁଲଙ୍କୁ ଯୌତୁକ ପାଇଁ ଜୀବନ୍ତ ଜାଳି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।
ଏନେଇ ପାରୁଲଙ୍କ ଭାଇ ପୁଲିସ୍ରେ ଅଭିଯୋଗ କରିଛନ୍ତି। ସେ ଦାଖଲ କରିଥିବା ଅଭିଯୋଗରେ ୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ସେମାନେ ହେଲେ- ପାରୁଲଙ୍କ ସ୍ୱାମୀ ଦେବେନ୍ଦ୍ର, ଶାଶୁ ଓ ୪ ଜଣ ପୁରୁଷ ସମ୍ପର୍କୀୟ- ସୋନୁ, ଗଣେଶ, ଜିତେନ୍ଦ୍ର ଓ ସନ୍ତୋଷ। ଅଭିଯୋଗ ପରେ ପୁଲିସ ଘରୋଇ ହିଂସା ଓ ହତ୍ୟା ଉଦ୍ୟମ ଦଫାରେ ମାମଲା ରୁଜୁ କରିଛି। ତେବେ ସମସ୍ତ ୬ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପୁଲିସ୍ କହିଛି।

