ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼

ଅପରାଧ

ପ୍ରସିଦ୍ଧ ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଅପରାଧୀମାନେ ଏକାଧିକ ରାଉଣ୍ଡ ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘରେ ହୋଇଛି। ଘଟଣାର ସୂଚନା ମିଳିବା ମାତ୍ରେ ଗୁରୁଗ୍ରାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି ଯେ, ଯୁଟ୍ୟୁବରଙ୍କ ଘରେ ପ୍ରାୟ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଘଟଣାଟି ସକାଳ ୫ ରୁ ୬ ମଧ୍ୟରେ ଘଟିଛି। ଯେତେବେଳେ ଏଲଭିଶଙ୍କ ଘରେ ଗୁଳିଚାଳନା ହେଉଥିଲା, ସେତେବେଳେ ଏଲଭିଶ ଘରେ ନଥିଲେ।

ଗୁଳିଚାଳନା ସମୟରେ ତାଙ୍କ ଘରେ ତାଙ୍କ କେୟାର ଟେକର ଏବଂ ପରିବାରର କିଛି ସଦସ୍ୟ ଉପସ୍ଥିତ ଥିଲେ। ଏହି ଘଟଣା ସମ୍ପର୍କରେ ଏଲଭିଶ ଯାଦବ କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ପୋଲିସରେ କୌଣସି ଅଭିଯୋଗ ଦିଆଯାଇ ନାହିଁ।ଗୁରୁଗ୍ରାମ ପୋଲିସ ଅନୁଯାୟୀ, ଘଟଣାଟି ସକାଳ ସାଢ଼େ ପାଞ୍ଚଟା ସମୟରେ ଘଟିଛି। ତଦନ୍ତରୁ ଜଣାପଡ଼ିଛି ଯେ, ତିନି ଜଣ ଅପରାଧୀ ବାଇକରେ ଆସିଥିଲେ, ଯେଉଁମାନେ ମଧ୍ୟରୁ ଦୁଇଜଣ ଏଲଭିଶଙ୍କ ଘରେ ଗୁଳିଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ପୋଲିସ ଅନୁଯାୟୀ, ଏଲଭିଶ ଯାଦବଙ୍କ ଘରର ଗ୍ରାଉଣ୍ଡ ଓ ପ୍ରଥମ ମହଲାରେ ଗୁଳିଚାଳନା ହୋଇଛି। ଏଲଭିଶ ଯାଦବ ଦ୍ୱିତୀୟ ଓ ତୃତୀୟ ମହଲାରେ ରହୁଛନ୍ତି।ଏଲଭିଶ ଯାଦବଙ୍କ ପିତା ରାମ ଅବତାର ଯାଦବ କହିଛନ୍ତି ଯେ, ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଘଟଣା ସମୟରେ ଆମ ପରିବାର ଘର ଭିତରେ ହିଁ ଥିଲା। ଆମେ ଅନୁମାନ କରୁଛୁ ଯେ ଅଭିଯୁକ୍ତମାନେ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଛନ୍ତି। ସିସିଟିଭି ଫୁଟେଜରେ ଆମେ ତିନି ଜଣ ଅପରାଧୀଙ୍କୁ ଦେଖିଛୁ। ସେମାନେ ଘର ବାହାରେ ଠିଆ ହୋଇ ପ୍ରଥମେ ଗୁଳିଚାଳନା କରିଛନ୍ତି ଏବଂ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ପୋଲିସ କହିଛି ଯେ, ଏହି ମାମଲାରେ ଏଲଭିଶ ଯାଦବଙ୍କଠାରୁ ଅଭିଯୋଗ ମିଳିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରାଯିବ। ବର୍ତ୍ତମାନ ପାଇଁ ପୋଲିସ ଆଇନଗତ ଭାବେ ନିଜର କାର୍ଯ୍ୟ କରୁଛି। ପୋଲିସ ଟିମ୍ ଅପରାଧ ସ୍ଥଳରୁ ଅନେକ ପ୍ରମାଣ ସଂଗ୍ରହ କରିଛି। ସାଙ୍ଗକୁ ଆଖପାଖର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି। ପରିବାର ଅନୁଯାୟୀ, ଏଲଭିଶ ଯାଦବଙ୍କୁ ଏପର୍ଯ୍ୟନ୍ତ କୌଣସି ଧମକ ମିଳି ନାହିଁ।

Leave a Reply

Your email address will not be published. Required fields are marked *