ଟୋକିଓ: କ୍ରୀଡା ମହାକୁମ୍ଭର ବିଗୁଲ ବାଜି ସାରିଛି । ଆଗକୁ ଆଉ ତ୍ରୁଟି ଗ୍ରହଣୀୟ ହେବନି । ଶ୍ରେଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ ହେବାକୁ ହେଲେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ପଡିବ । ତେବେ ତୀରନ୍ଦାଜ ର୍ୟାଙ୍କିଙ୍ଗ ଇଂଭେଟରେ ଭାରତୀୟଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ପୁରୁଷ ଟିମ ର୍ୟାଙ୍କିଙ୍ଗରେ ଭାରତର ପ୍ରବୀଣ, ଅତନୁ ଦାସ ଓ ତରୁଣଦୀପ ରାୟ ୯ମ ସ୍ଥାନରେ ରହିଛନ୍ତି । ଭାରତ ପଛକୁ କେବଳ ଗ୍ରେଟବ୍ରିଟେନ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ରହିଛନ୍ତି । ମିକ୍ସଡ ଟିମ ଇଭେଂଟରେ ପଦକ ଦାବୀଦାର ଦୀପିକା କୁମାରୀ (୬୬୩) ଓ ପ୍ରବୀଣ ଯାଦବ (୬୫୬) ୨୯ ଟିମ ମଧ୍ୟରେ ୯ମ ସ୍ଥାନରେ ରହିଛନ୍ତି ।
ବ୍ୟକ୍ତିଗତ ପୁରୁଷ ଇଭେଂଟରେ ପ୍ରବୀଣ ଯାଦବ (୩୧ତମ), ଅତନୁ (୩୫) ଓ ତରୁଣଦୀପ(୩୭ତମ) ସ୍ଥାନ ହାସଲ କରିଛନ୍ତି । ଦୀପିକା ତାଙ୍କ ଅଭିଯାନ ଭୁଟାନର କର୍ମାଙ୍କ ବିପକ୍ଷରେ ଆରମ୍ଭ କରିବେ । ଦକ୍ଷିଣ କୋରିଆର ଆନ ସାନ ୬୮୦ ପଂଏଟ ହାସଲ କରିଥିଲେ, ଯାହାକି ଅଲିମ୍ପିକ ରେକର୍ଡଠାରୁ ୭ ପଂଏଟ ଅଧିକ । ସେ ପ୍ରଥମ ସ୍ଥାନରେ ରହିଥିବା ବେଳେ କୋରିଆର ଜଙ୍ଗ ମିହ୍ନି ଓ କଙ୍ଗ ଝି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ଦୀପିକା ତାଙ୍କ ପତି ଅତନୁ ଦାସଙ୍କ ବଦଳରେ ପ୍ରବୀଣ ଯାଦବଙ୍କ ସହ ମୁକାବିଲାରେ ଅବତୀର୍ଣ୍ଣ ହେବେ ।