ମୁମ୍ବାଇ : ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶେଷରେ ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ । ତର୍କ ବିତର୍କ ପରେ ଶେଷରେ ଆର୍ଯ୍ୟନଙ୍କ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୨୬ ଦିନ ଧରି ପୋଲିସ ହେପାଜତରେ ରହିବା ପରେ ଆଶ୍ବସ୍ଥ ହୋଇଛନ୍ତି ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ଆସନ୍ତାକାଲି ହାଇକୋର୍ଟଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ, ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଜେଲରୁ ବାହାରିବେ । ଦୀର୍ଘ ତିନି ଧରି ଏହି ଶୁଣାଣୀ ଚାଲିଥିବା ବେଳେ, ଆଜି ଶୁଣାଣୀର ଅନ୍ତିମ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ । ଆଜି କୋର୍ଟରେ ଉଭୟ ପକ୍ଷ ମଧ୍ୟରେ ତର୍କ ବିତର୍କ ହୋଇଥିଲା । ସେହିପରି ଜାମିନ ପ୍ରଦାନରେ କୋର୍ଟ କିଛି ସର୍ତ୍ତ ରଖିଛନ୍ତି । ଏହି ସର୍ତ୍ତାବଳୀକୁ ଅଭିଯୁକ୍ତ ପାଳନ କରିବାକୁ କୁହାଯାଇଛି । ଏଥିସହ ମାମଲାରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ ।
ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ସିପରେ ଏନସିବିର ଏକ ଟିମ୍ ରେଡ୍ କରିଥିଲା । ଯେଉଁଥିରେ ଏନସିବି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ସମେତ ୮ ଜଣଙ୍କୁ ନିଜ ହେପାଜତକୁ ନେଇଥିଲା ।