ନୂଆ ରୂପ ନେବ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣୀଙ୍କ ପୀଠ

Top Storise ରାଜ୍ୟ

ଭଦ୍ରକ : ନୂଆ ରୂପ ନେବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ତଥା ଶୈବକ୍ଷେତ୍ର ବାବା ଆଖଣ୍ଡଳମଣୀଙ୍କ ପୀଠ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬ କୋଟି ଟଙ୍କା । ବିଶେଷକରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ବେଢ଼ାର ସୌନ୍ଦର୍ଯ୍ୟକରଣ କରାଯିବ । ଏହାସହ ଦର୍ଶନ ପାଇଁ ସ୍ବତନ୍ତ୍ର ଚଲାପଥ ନିର୍ମାଣ, ଶ୍ରାବଣ ମାସରେ ଆସୁଥିବା ବୋଲବମ ଭକ୍ତଙ୍କ ଶୃଙ୍ଖଳିତ ଜଳାଭିଷେକ ପାଇଁ ନୂତନ ଶ୍ରାବଣୀ ମଣ୍ଡପ ନିର୍ମାଣ, ଯଜ୍ଞମଣ୍ଡପ ନିର୍ମାଣ, ମଣିବାବାଙ୍କ ଗର୍ଭଗୃହ ମରାମତି ସାଙ୍ଗକୁ ଗଳିଘର ଗୁମୁଟ ମରାମତି, ମୁକ୍ତିମଣ୍ଡପ, ନାଟମଣ୍ଡପ ଆଦିର ମରାମତି କରାଯିବ । ଏଥିପାଇଁ ମନ୍ଦିର ପରିସରରେ ଶିଳାନ୍ୟାସ କରାଯାଇଛି ।

ପୀଠକୁ ଆସୁଥିବା ଭକ୍ତଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ପୀଠର ମୁଖ୍ୟ ବଜାରର ରାସ୍ତା, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହିତ ମନ୍ଦିର ଚାରି ଦ୍ବାରର ସମ୍ପ୍ରସାରଣ କରାଯିବ । ବିଶେଷ କରି ମହାଶିବରାତ୍ରୀରେ ଯେପରି ଅଗଣିତ ଭକ୍ତ ମଣିବାବାଙ୍କ ମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ଦର୍ଶନ କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ କହିଛନ୍ତି । ପୀଠର ସମ୍ପ୍ରସାରଣ ଓ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ତାହା ସାକାର ହୋଇ ପାରୁନଥିଲା । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ଏହି କାର୍ଯ୍ୟ ସଫଳ ହୋବ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଶିଳାନ୍ୟାସ ଉତ୍ସବରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ସାଂସଦ ମଞ୍ଜଲତା ମଣ୍ଡଳ, ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *