ମାଲକାନଗିରି : କରୋନା ମହାମାରୀ ଦୋହଲାଇ ଦେଇଛି ସମଗ୍ର ଦେଶର ଅର୍ଥନିତିକୁ । ଗତ ଦୁଇ ବର୍ଷ ଧରି ଲୋକେ ବ୍ୟାଙ୍କ ଓ ସାହୁକାର ମାନଙ୍କ ଋଣ ସୁଝି ପାରୁନଥିବା ବେଳେ ଠପ୍ ହୋଇ ପଡିଛି ବ୍ୟବସାୟ ବାଣିଜ୍ୟ ଓ ଚାଷ ବାସ । ହେଲେ ଠିକ ଏତିକ ବେଳେ ନିଜେ ସ୍ୱାବଲମ୍ବୀ ହେବା ସହ ଋଣ ମୁକ୍ତ ଗାଁର ପରିଚୟ ଦେଇ ରାଜ୍ୟରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତର ଆଦିବାସୀ ଲୋକେ । ଓଡିଶା ସମ୍ବାଦର ବିଶେଷ ରିପୋର୍ଟ….
ବ୍ୟାଙ୍କ୍ ଭଳି ଚାଲିଛି କାରବାର । ହେଲେ ଏହା କୌଣସି ବ୍ୟାଙ୍କ୍ ନୁହେଁ । ଏ ହେଉଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ ଗାଁ ବ୍ୟାଙ୍କ । ଯାହାକୁ ସ୍ଥାପନ କରିଛନ୍ତି ମାଥିଲି ପଞ୍ଚାୟତ ଅଧିନରେ ଥିବା ୧୦ ଟି ଆଦର୍ଶ ଗାଁର ଲୋକେ । ଏଥିରେ ନିଯୁକ୍ତି ହୋଇଛନ୍ତି ଗାଁର କିଛି ଶିକ୍ଷିତ ଯୁବକ । ଯେଉଁ ମାନେ ଗାଁ ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏ ଋଣ ଦେଇଛନ୍ତି ସ୍ବାବଲମ୍ୱୀ ହେବା ଲାଗି । ଏହି ଅର୍ଥରେ ସେମାନେ କୁକୁଡା ଚାଷ, ମାଛ ଚାଷ ଓ ପନି ପରିବା ଚାଷ କରିଛନ୍ତି । ଗାଁର ଲୋକେ କରୋନା ଯୋଗୁଁ କାମ ହରାଇ ବସିଥିବାବେଳେ ଏବେ ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ।
ଆଦିବାସୀ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଲାଗି ଜଳ ବିଭାଜିକା ପ୍ରକଳ୍ପ ତରଫରୁ ପ୍ରଥମେ ପ୍ରାୟ ଦେଢ କୋଟି ଟଙ୍କାର ସହାୟତା କରାଯାଇଥିଲା । ହେଲେ ଏବେ ସମଗ୍ର ୧୦ ଟି ଗାଁର ଲୋକେ ଋଣ ମୁକ୍ତ ହୋଇଥିବା ବେଳେ ନିଜେ ସ୍ୱାବଲମ୍ବୀ ହୋଇ ସେହି ଗାଁ ବ୍ୟାଙ୍କରେ ଅର୍ଥ ସଞ୍ଚୟ ମଧ୍ୟ କରିବାରେ ଲାଗିଛନ୍ତି ।
କରୋନା ମହାମାରୀ ସମୟରେ ନିଜେ ଅର୍ଥ ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି ମାଥିଲି ପଞ୍ଚାୟତର ଏହି ଆଦିବାସୀ ଲୋକେ ।