ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ, ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ନବୀନ

Top Storise ରାଜ୍ୟ

ଭୁବନେଶ୍ୱର: ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବେଙ୍ଗଳୁରୁରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବାର୍ତ୍ତା ଦେଇଛନ୍ତି । ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ ।

ଦେଶର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେହି ବରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ସାରା ଓଡ଼ିଶାରୁ ଦଳର ଯୁବ,  ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତା, ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ  ଏବଂ ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଏହି ସମାବେଶରେ ଅଧ୍ୟକ୍ଷତା କରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ଦେହାନ୍ତ ପରେ କିଏ ଓଡ଼ିଶାର ନେତୃତ୍ଵ ନେବ ? ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଘୋର ନିରାଶାର ଅନ୍ଧକାର ସୃଷ୍ଟି ହୋଇଥିଲା । ଏହି ଅନ୍ଧକାର ଭିତରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାକାରୀଙ୍କ ଉତ୍କଣ୍ଠା ଓ ଆକାଂକ୍ଷାର ଅନ୍ତ ଘଟାଇ ଆଶାର ଆଲୋକ ହୋଇ ଉଭା ହୋଇଥିଲେ । ବିଜୁବାବୁଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ସେଦିନ ସେ ସଂକଳ୍ପ ନେଇଥିଲେ । ସେବେଠୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରି ଆଜି ନବୀନ ଓଡ଼ିଶାର ବିଶ୍ଵକର୍ମା ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଓ ଉପସାର ପ୍ରତୀକ ସାଜିଛନ୍ତି ।

BJD A People’s Movement, Says Naveen Amid JP Nadda Call To Uproot Its Govt In Odisha

ଆଉ ୨୫ ବର୍ଷ ତଳେ ନବୀନ ବାବୁ ବିଜୁ ଜନତା ଦଳର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି । ଓଡ଼ିଶାରେ ସ୍ଵାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି । ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତ ବିଜୁବାବୁଙ୍କ ଅବର୍ତ୍ତମାନରେ ଗଭୀର ଆର୍ଥିକ ସଂକଟ ଓ ଅନେକ ଅଭାବ ଅସୁବିଧା ଭିତରେ ନବୀନ ବାବୁ ପ୍ରତିବଦ୍ଧତାର ସହ ଦଳର ନେତୃତ୍ଵ ଏପରି ଭାବରେ ନେଇଥିଲେ ଯେ ସଂଶୟ ଭିତରୁ ପ୍ରତ୍ୟୟ ଜନ୍ମ ନେଲା । ସବୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଋଣଗ୍ରସ୍ତ ଓଡ଼ିଶାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ସଂପୂର୍ଣ୍ଣ ମୋଡ଼ ବଦଳାଇ ଦେଇଥିଲେ। ଏବେ ତାଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରଗତିର ଧାରା କ୍ଷିପ୍ର ହୋଇଛି। ପଦଯାତ୍ରାରେ ଆମକୁ ସଫଳତାର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ ।

ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, ବିଜେଡି ଏକ ରାଜନୈତିକ ଦଳରୁ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦଶନ୍ଧି ଆରମ୍ଭରେ ଏକ ଖାଦ୍ୟ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଖାଦ୍ୟ ସୁରକ୍ଷା କାର୍ଯ୍ୟାନ୍ବୟନରେ ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟର ମାନ୍ୟତା ପାଇଛି । ଚଳିତ ବର୍ଷ ଜାତିସଂଘର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା କିଛି ରାଷ୍ଟ୍ର ପାଇଁ ମଡ଼େଲ ବୋଲି ଘୋଷଣା କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା ଆଦି ସବୁ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି । ଏହି ସବୁ ସଫଳତାର ବାର୍ତ୍ତା ଆମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ।

Leave a Reply

Your email address will not be published. Required fields are marked *