ଶାଶୁ ଓ ଶ୍ୱଶୁରଙ୍କ ଆଶୀର୍ବାଦ ନେଲେ ବର୍ଷା

Top Storise ରାଜ୍ୟ

ଭୁବନେଶ୍ୱର: ଶ୍ୱଶୁର ଘରେ ବୋହୂ। ପଦ୍ମପୁର ଉପ ନିର୍ବାଚନରେ ବିପୁଳ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଛନ୍ତି ନବ ନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା। ସ୍ୱାମୀ ସ୍ମୃତି ସୌରଭଙ୍କ ସହ ସେ ଆଜି ଭୁବନେଶ୍ୱରସ୍ଥିତ ଶ୍ୱଶୁର ଘରକୁ ଯାଇଛନ୍ତି। ଘରେ ହଞ୍ଚିବା ପରେ ସେ ପ୍ରଥମେ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ ଓ ଶାଶୁଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି। ପରେ ବର୍ଷା ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି।

ଶ୍ୱଶୁର ଘରେ ପହଞ୍ଚିବା ପରେ ଗଣମାଧ୍ୟମକୁ ବର୍ଷା କହିଛନ୍ତି, ବିଜୟ ପରେ ବହୁତ ଖୁସି ଲାଗୁଛି। ମୋ’ ଶ୍ୱଶୁର ଓ ପରିବାର ତରଫରୁ ମାନସିକ ଭାବେ ବହୁ ସମର୍ଥନ ମିଳିଛି। ପଦ୍ମପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛି। ତେଣୁ ପଦ୍ମପୁର ହେଉଛି ମୋର କର୍ମଭୂମୀ। ସେହି ଅଞ୍ଚଳର ବିକାଶ ହେଉଛି ମୋର ପ୍ରାଥମିକତା ବୋଲି ବର୍ଷା କହିଛନ୍ତି।

ବୋହୂଙ୍କ ବିଜୟ ନେଇ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ କହିଛନ୍ତି, ଗଣତନ୍ତ୍ରରେ ଲୋକମତ ହେଉଛି ସର୍ବାଗ୍ରେ। ଲୋକମାନେ ଯେଉଁ ମତ ଦେଇଛନ୍ତି, ତାକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡ଼ିବ। ସେହି ହିସାବରେ ପଦ୍ମପୁରବାସୀ ଯେଉଁ ମତ ଦେଇଛନ୍ତି, ସମସ୍ତଙ୍କର ଗ୍ରହଣୀୟ। ଏହା ଲୋକ ମତର ବିଜୟ ହୋଇଛି ବୋଲି ରମାରଞ୍ଜନ କହିଛନ୍ତି।

ସୂଚନାରୁ ପ୍ରକାଶ, ଗୁରୁବାର ପ୍ରକାଶ ପାଇଥିଲା ପଦ୍ମପୁର ଉପ-ନିର୍ବାଚନ ଫଳାଫଳ। ଏଥିରେ ବାଜି ମାରି ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ୪୨ ହଜାର ୬୭୯ ଖଣ୍ଡ ଭୋଟ୍‌ରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଥିଲେ। ବର୍ଷା ସିଂହ ବରିହା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ୍ ପାଇଥିଲେ। ବିଜେପିର ପ୍ରଦୀପ ପୁରୋହିତ ୭୮ ହଜାର ୧୨୮ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୯୪ ଖଣ୍ଡ ଭୋଟ୍ ମିଳିଛି।

Leave a Reply

Your email address will not be published. Required fields are marked *