ଆସାମ-ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ, ଫରେଷ୍ଟ ଗାର୍ଡଙ୍କ ସମେତ ୬ ମୃତ

Top Storise ରାଜ୍ୟ

ଗୌହାଟୀ: କାଠ ଗଣ୍ଡି ଚୋରା ଚାଲାଣକୁ ନେଇ ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଟ୍ରକ୍‌ରେ କିଛି ଲୋକ କାଠଗଣ୍ଡି ଚୋରା ଚାଲାଣ କରୁଥିବା ପୁଲିସ୍‌ ଠାବ କରିବା ପରେ ଏପରି ଘଟଣା ଘଟିଛି।

ଏହି ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମେଘାଳୟ ସରକାର ସୀମାନ୍ତ ଅଞ୍ଚଳର ୭ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ଟ୍ରକ୍‌ଟିକୁ ମେଘାଳୟ ସୀମାନ୍ତ ମୋଇକରଙ୍ଗ ଠାରେ ଆସାମ ଫରେଷ୍ଟ ଡିପାର୍ଟମେଣ୍ଟର ଗୋଟିଏ ଟିମ୍‌ ଅଟକାଇ ଥିଲା। ରାତି ପ୍ରାୟ ୩ଟା ବେଳେ ଟ୍ରକ୍‌କୁ ଠାବ କରାଯାଇଥିଲା। ଅଧିକାରୀମାନେ ଏହାକୁ ଯାଞ୍ଚ କରିବାକୁ ଉଦ୍ୟମ କରୁଥିବେ ବେଳେ ଟ୍ରକଟି ଫେରାର ହୋଇଯିବାକୁ ଚେଷ୍ଟା କରିଥିଲା।

କିଛି ସମୟର ଛକାପଞ୍ଝା ପରେ ବନ ସୁରକ୍ଷାକର୍ମୀମାନେ କାଠ ଚାଲାଣ ହେଉଥିବା ଟ୍ରକ୍‌କୁ ଗୁଳି କରି ଟାୟାର ପମ୍ପଚର କରି ଦେଇଥିଲେ। ଏହାପରେ ଟ୍ରକ ଡ୍ରାଇଭର ସମେତ ୩ ଜଣଙ୍କୁ କାବୁ କରି ବନ ସୁରକ୍ଷାକର୍ମୀ ଜିରିକିଙ୍ଗ ନିକଟକୁ ଆଣିଥିଲେ। ଏଥିସହ ଜିରିକେଣ୍ଡିଂ ପୁଲିସ୍‌ ଷ୍ଟେସନକୁ ଖବର ଦେଇ ଅଧିକ ସୁରକ୍ଷାକର୍ମୀ ମଗାଇଥିଲେ।

ସେମାନେ ସୁରକ୍ଷାକର୍ମୀଙ୍କୁ ଅପେକ୍ଷା କରିଥିବା ବେଳେ ହଠାତ୍‌ ମେଘାଳୟ ପଟୁ ଶତାଧିକ ଲୋକ ଦା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଭୋର ପ୍ରାୟ ୫ଟା ବେଳେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ବନ ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତି ଥିବା କିଛି ପୁଲିସ୍‌ କର୍ମଚାରୀ ଆତ୍ମରକ୍ଷା ପାଇଁ ଲୋକଙ୍କୁ ଗୁଳିମାଡ଼ କରିଥିଲେ।

ଏହି ରକ୍ତାକ୍ତ ସଂଘର୍ଷରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଉଛନ୍ତି ବିଦ୍ୟା ସିଂହ ଲେହତେ। ସେହିପରି ଅଭିମନ୍ୟୁ ନାମକ ଆଉ ଜଣେ ଫରେଷ୍ଟ ଗାର୍ଡ ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଏହାବାଦ ଜଣେ ଫରେଷ୍ଟ ହୋମ ଗାର୍ଡ ଓ ଖାସି ସଂପ୍ରଦାୟର ୩ ଜଣ ଲୋକଙ୍କର ମଧ୍ୟ ଜୀବନ ଯାଇଛି।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲେ ମଧ୍ୟ ସ୍ଥିତି ଅଧିକ ବିଗିଡ଼ି ନଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *