ଆର୍ଯ୍ୟନ ଖାନ୍ ମାମଲାରେ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

Top Storise ଦେଶ- ବିଦେଶ

ମୁମ୍ବାଇ: ଏନସିବି ମୁମ୍ବାଇ ଜୋନର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ କହିଛି ଯେ ଆର୍ଯ୍ୟନ୍ ଖାନ କ୍ରୁଜ୍ ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ଆମେ ସମୀର ୱାଙ୍ଖଡେଙ୍କ ଘର ଉପରେ ଚଢାଉ କରିଛୁ।

ସିବିଆଇ କହିଛି ଯେ ଦିଲ୍ଲୀ, ମୁମ୍ବାଇ ଏବଂ ରାଞ୍ଚି ସମେତ ୨୯ ଟି ସ୍ଥାନରେ ଚଢାଉ କରାଯାଇଛି। କ୍ରୁଜ୍ ଜାହାଜରେ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମ୍ପୃକ୍ତି ନଦର୍ଶାଇବାକୁ ଲାଞ୍ଚ ମାଗିଥିବା ଅଭିଯୋଗ ରହିଛି। ଏହା ବିରୋଧରେ ଏଫଆଇଆର ରୁଜୁ ହୋଇଛି ବୋଲି ସିବିଆଇ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ଯେତେବେଳେ କ୍ରୁଜ୍ ଉପରେ ଚଢାଉ କରାଯାଇଥିଲା, ୱାଙ୍ଖଡେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ଜୋନର ମୁଖ୍ୟ ଥିଲେ। ଅକ୍ଟୋବର ୨, ୨୦୨୧ରେ ଆର୍ଯ୍ୟନ ଖାନ, ଅରବାଜ ମର୍ଚାଣ୍ଟ ଏବଂ ମୁମୁନ ଧାମଚା ଡ୍ରଗ୍ସ ଅଭିଯୋଗରେ କ୍ରୁଜରୁ ଗିରଫ ହୋଇଥିଲେ।

ସିବିଆଇ ଅଧିକାରୀଙ୍କ କହିବାନୁସାରେ, ସମୀର ଓ୍ବାଙ୍ଖଡେ ଏବଂ ଅନ୍ୟମାନେ କୋରଡେଲିୟା କ୍ରୁଜ୍ ଜାହାଜ ମାମଲାରେ ଶାହରୁଖଙ୍କ ପୁଅକୁ ନଫସାଇବାକୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ।

ଏହି ବହୁ ଚର୍ଚ୍ଚିତ ମାମଲାରେ ଆର୍ଯ୍ୟନ୍ ଖାନ୍ ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଥିଲେ। ତାଙ୍କ ଗିରଫଦାରୀକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ସାକ୍ଷୀ ନିଜେ ମଧ୍ୟ ଭୁଲ୍ ଅଭିଯୋଗ ଆଣିଥିଲେ। ଏହାପରେ, ଏନସିବି ମେ ୨୦୨୨ କହିଥିଲା ଯେ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ଏହାପରେ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଅଭିଯୋଗର ଲମ୍ବା ତାଲିକା।

Leave a Reply

Your email address will not be published. Required fields are marked *