ଠକି ଦେଲେ ବିଇଓ ସାର୍

Top Storise ରାଜ୍ୟ

ଆଳି: ଠକି ଦେଲେ ବିଇଓ ସାର୍। ୨ ଜଣ ଅଧିକ ଶିକ୍ଷକ ଦେବେ ବୋଲି କହି ଦେଲେନି। ଜଣେ ମାତ୍ର ଶିକ୍ଷକରେ କେମିତି ଚାଲିବ ସ୍କୁଲ ? ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୨୦ ଜଣ ପିଲା ପଢ଼ିବେ କେମିତି ? ଅନ୍ୟଜଣେ ଶିକ୍ଷକଙ୍କୁ ବଦଳି କରି ଦିଆଗଲା କାହିଁକି ? ତାଙ୍କୁ ଉପରିସ୍ଥ ଅଧିକାରୀ କାହିଁକି ମାଗିଲେ ଲାଞ୍ଚ ? ଏଭଳି ଅନେକ ପ୍ରଶ୍ନବାଣ ଧରି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ। ଯାହାକୁ ନେଇ ଆଜି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗଙ୍ଗାଧର ପ୍ରସାଦଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ଲାଗି ରହିଥିଲା। ସେପଟେ ଏ ସମ୍ପର୍କରେ ଜାଣି ମଧ୍ୟ ଶିକ୍ଷା ବିଭାଗର କୌଣସି ଅଧିକାରୀ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ କରିବାକୁ ଆସି ନ ଥିଲେ। ତେଣୁ ସୋମବାର ସ୍କୁଲ ଖୋଲିବା ପରେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି।

ଅଭିଯୋଗ ମୁତାବକ, ଏଠାରେ ପାଠ ପଢ଼ାଉଥିବା ଶିକ୍ଷକ ଅନନ୍ତ ମାଝୀଙ୍କୁ ଏହି ସ୍କୁଲ ନିରୀକ୍ଷଣ ଦାୟିତ୍ୱରେ ଥିବା ସିଆରସିସି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେହି ଶିକ୍ଷକ ଲାଞ୍ଚ ନ ଦେବାରୁ ତାଙ୍କୁ ବଦଳି କରାଯାଇଛି। ଯାହାର ପ୍ରତିବାଦରେ ଆଜି ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ।

ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୨୦ଜଣ ଛାତ୍ର ଛତ୍ରୀ ପଢ଼ୁଥିବା ବେଳେ ମାତ୍ର ୨ଜଣ ଶିକ୍ଷକ ନିୟୋଜିତ ହୋଇଥିଲେ। ହେଲେ ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ପ୍ରମୋସନ ସହ ବଦଳି କରାଯାଇଥିବାରୁ ପାଠପଢ଼ାରେ ସମସ୍ୟା ଦେଖାଦେଇଛି। ଯେ ପର୍ଯ୍ୟନ୍ତ ଉକ୍ତ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ନ ହୋଇଛି ଓ ଦାବି ମୁତାବକ ଅଧିକ ୨ ଜଣ ଶିକ୍ଷକ ନିୟୋଜିତ କରା ନ ଯାଇଛି, ସେପର୍ଯ୍ୟନ୍ତ ସ୍କୁଲରେ ତାଲା ପଡ଼ିରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ଛାତ୍ରୀ ବିଜୟାଲଷ୍ମୀ ବେହେରା କହିଛନ୍ତି, ବିଇଓ ସାର୍ ଆମକୁ ଠକି ଦେଇଛନ୍ତି। ଗତଥର ସ୍କୁଲକୁ ଆସିଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣି ଅଧିକ ୨ ଜଣ ଶିକ୍ଷକ ଦିଆଯିବ ବୋଲି କହିଥିଲେ। ହେଲେ ଅଧିକ ଶିକ୍ଷକ ନିୟୋଜିତ ନ କରି ଓଲଟା ଜଣେ ଶିକ୍ଷକଙ୍କୁ ବଦଳି କରିଛନ୍ତି। ପ୍ରମୋସନ ଦିଆଯାଇଥିବା ଶିକ୍ଷକଙ୍କୁ କ’ଣ ଏଭଳି ଦଣ୍ଡ ଦିଆଯିବା ଠିକ୍ ? ଆମେ ପାଠ ପଢ଼ିବୁ କେମିତି ? ମାତ୍ର ଜଣେ, ଦୁଇ ଜଣ ଶିକ୍ଷକ ୮ଟି ଶ୍ରେଣୀର ପିଲାଙ୍କୁ ଠିକ୍ ଭାବେ ପଢ଼ାଇ ପାରୁନାହାନ୍ତି । ତେଣୁ ତୁରନ୍ତ ବିଇଓ ପ୍ରତିଶ୍ରୁତି ମୁତାବକ ଶିକ୍ଷକ ନିଯୁକ୍ତ ନ କଲେ ସେମାନେ ଧାରଣାରୁ ହଟିବେ ନାହିଁ।

ବଦଳି ନିର୍ଦ୍ଦେଶ ପାଇଥିବା ଶିକ୍ଷକ ଅନନ୍ତ ମାଝୀ ଅଭିଯୋଗ କରି କହିଛନ୍ତି ଯେ ତାଙ୍କୁ ପ୍ରମୋସନ ଦିଆଯିବା ସହ କେଉଁ ସ୍କୁଲକୁ ପଢ଼ାଇବାକୁ ଚାହୁଁଛନ୍ତି ବୋଲି ରାଜକନିକା ବିଇଓ ଅଫିସର ଜଣେ ସିଆରସିସି ପଚାରିଥିଲେ। ସେ ଦୁଇବର୍ଷ ହେବ ଗଙ୍ଗାଧର ପ୍ରସାଦଡ଼ିଆ ସ୍କୁଲରେ ପାଠପଢ଼ାଇଥିବାରୁ ଅନ୍ୟ ସ୍ଥାନକୁ ଯିବାକୁ ଚାହିଁ ନ ଥିଲେ। ହେଲେ ସମ୍ପୃକ୍ତ ସିଆରସିସି ଏଭଳି କରିବାକୁ ହେଲେ ୧୦ହାଜର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କହିଥିଲେ। ଏହାର ଫୋନ୍ କଲ ରେକର୍ଡ ରହିଛି। ଟଙ୍କା ନ ଦେବାରୁ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କୁ ୩୦କିଲୋମିଟର ଦୂରକୁ ବଦଳି କରାଯାଇଛି। ଶିକ୍ଷା ବିଭାଗରେ ଏଭଳି ଲାଞ୍ଚ କାରବାର ଜୋରଦାର ଚାଲିଥିବା ସେ ପ୍ରକାଶ କରିଛନ୍ତି।

ରାଜକନିକା ବିଇଓ ହୃଷିକେଶ ରଥ କହିଛନ୍ତି, ଏହି ଶିକ୍ଷକଙ୍କୁ ପ୍ରମୋସନ ଦିଆଯିବା ସହ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଏଠାରେ ଅନ୍ୟ ଜଣଙ୍କୁ ନିୟୋଜିତ କରାଯାଇଛି। ଟଙ୍କା ମାଗିବା ଅଭିଯୋଗର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *