ବିସିସିଆଇ ପଦକୁ ନେଇ ବିବାଦ: ବଡ଼ ବୟାନ ଦେଲେ ସୌରଭ ଗାଙ୍ଗୁଲି

Top Storise କ୍ରୀଡ଼ା ଦେଶ- ବିଦେଶ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲି ଆଉ କାମ ନ କରିବା ଓ ବିଭିନ୍ନ ପଦପଦବୀରେ ରାଜନୀତିକ ବ୍ୟକ୍ତିବିଶେଷଙ୍କ ପରିବାର ସଦସ୍ୟ ରହିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଶେଷ କରି ବିଜେପି ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସୌରଭ ଗାଙ୍ଗୁଲିଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି।

ଗାଙ୍ଗୁଲି ବିଜେପିରେ ନ ମିଶିବାରୁ ତାଙ୍କୁ ବିସିସିଆଇ ସଭାପତି ପଦରୁ ହଟାଇ ଦିଆଗଲା। କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ପୁଣିଥରେ ବିସିସିଆଇ ସଂପାଦକ ପଦରେ ରହିବେ। ଏପରି ପାତରଅନ୍ତର କାହିଁକି ବୋଲି ଟିଏମସି ପ୍ରଶ୍ନ କରିଛି। ବିଜେପି କିନ୍ତୁ ଏହାକୁ ଖଣ୍ଡନ କରି ବିବାଦକୁ ରଫାଦଫା କରିବାକୁ ଚେଷ୍ଟା କରିଛି।

ଏସବୁ ଭିତରେ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବେଙ୍ଗଲ ଟାଇଗର ଭାବେ ପରିଚିତ ସୌରଭ ଗାଙ୍ଗୁଲି। ସେ କହିଛନ୍ତି, “ଜଣେ କେବେ ହେଲେ ସବୁଦିନ ପାଇଁ କୌଣସି ପ୍ରଶାସନିକ ପଦପଦବୀରେ ରହିପାରିବେ ନାହିଁ।” ବନ୍ଧନ ବ୍ୟାଙ୍କର ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ପଦ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା।

ଏହାର ଜବାବରେ ସେ କହିଛନ୍ତି, “ଆପଣ ସବୁଦିନ କେବେ ହେଲେ ଖେଳି ପାରିବେ ନାହିଁ। ସେହିପରି ଆପଣ ସବୁଦିନ ପାଇଁ ପ୍ରଶାସନିକ ପଦପଦବୀରେ ମଧ୍ୟ ରହିପାରିବେ ନାହିଁ। ମୁଁ ଭବିଷ୍ୟତରେ ବଡ଼ କାମ କରିବାକୁ ଯାଉଛି। ମୁଁ କ୍ରିକେଟରଙ୍କ ପ୍ରଶାସନିକ ଅଧିକାରୀ ଥିଲି। ହଁ, ଏବେ ଅଧିକ କ୍ରିକେଟ ହେଉଥିବାରୁ ଆପଣଙ୍କୁ ଗୋଟିଏ ନିଷ୍ପତ୍ତି ନେବାକୁ ପଡ଼ିବ। ଆପଣଙ୍କ ଚାରିପାଖରେ ଅନେକ ଟଙ୍କା ରହିଛି। ମହିଳା କ୍ରିକେଟ, ଘରୋଇ କ୍ରିକେଟ ବି ଅଛି। ଜଣେ ବ୍ୟକ୍ତିବିଶେଷ ହିସାବରେ ଠିକ ସମୟରେ ଠିକ୍‌ ନିଷ୍ପତ୍ତି ନେବାକୁ ହେବ।”

ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ କାମ କରିବାକୁ ଇଚ୍ଛା ରଖିଥିଲେ। ହେଲେ ତାଙ୍କ ଇଚ୍ଛା ଅନୁସାରେ ସବୁ କିଛି ହୋଇନାହିଁ। ଗାଙ୍ଗୁଲି ପ୍ରଥମେ ସଂପାଦକ ଭାବେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(ସିଏବି)ରୁ ନିଜର ପ୍ରଶାସନିକ କାମ ଆରମ୍ଭ କରିଥିଲେ। ଏହାପରେ ଜଗମୋହନ ଡାଲମିୟାଙ୍କ ଦେହାନ୍ତ ପରେ ସେ ୨୦୧୫ରେ ସିଏବିର ସଭାପତି ହୋଇଥିଲେ।

ସଫଳତା ସମ୍ପର୍କରେ କହିବା ବେଳେ ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ଜୀବନରେ ସଫଳତା ହାସଲ ଓ ଆଗକୁ ବଢ଼ିବା ହେଉଛି ଛୋଟ ଛୋଟ ଗୋଲ। ଆପଣ କେବେ ହେଲେ ଦିନକରେ ସଚିନ ତେନ୍ଦୁଲକର କିମ୍ବା ଅମ୍ବାନୀ କିମ୍ବା ନରେନ୍ଦ୍ର ମୋଦି ହୋଇ ପାରିବେ ନାହିଁ। ଆପଣଙ୍କୁ ସମୟ, ଦିନ, ସପ୍ତାହ ଓ ମାସାଧିକ କାଳ ଏ ଦିଗରେ କାମ କରିବାକୁ ପଡ଼ିବ। ଏହା ହିଁ ସଫଳତାର ମୂଳମନ୍ତ୍ର।”

Leave a Reply

Your email address will not be published. Required fields are marked *