ନକଲି ଔଷଧ ମାମଲା: ରାଜ୍ୟ ବାହାରକୁ ଗଲା ତଦନ୍ତକାରୀ ଟିମ୍, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

Top Storise ରାଜ୍ୟ

କଟକ: ନକଲି ଔଷଧ ମାମଲାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୁଲିସ। ପୁରୀଘାଟ ଥାନା ପୁଲିସର ୪ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି। ନକଲି ଔଷଧ ପ୍ରସ୍ତୁତ ଓ ଓଡ଼ିଶାକୁ ଚାଲାଣ କରୁଥିବା ଫାର୍ମ ବାବଦରେ ଏହି ଟିମ୍ ସୂଚନା ଏକାଠି କରିବ। ଏନେଇ ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଏହି ଟିମ୍ ନକଲି ଔଷଧ ତିଆରିର ମୂଳ ଜାଗାରେ ପହଞ୍ଚିବାକୁ ଚେଷ୍ଟା କରିବ। ଏଠାରୁ ଆଉ କେଉଁ ଆଡକୁ ନକଲି ଔଷଧ ଚାଲାଣ ହେଉଛି ଓ ଏହା ପଛରେ ଆଉ କେଉଁମାନଙ୍କର ଲିଙ୍କ ଅଛି ଖୋଳତାଡ଼ କରିବ।

ସେପଟେ ହାଇକୋର୍ଟ ଗଲା ନକଲି ମେଡିସିନ୍ ମାମଲା।  ନକଲି ଔଷଧ ବିକ୍ରି ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। CBI ତଦନ୍ତ ଦାବିରେ ଏହି ମାମଲା ହୋଇଛି। ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ସିବିଆଇ,  ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଓଡିଶା ପୁଲିସ ମହାନିର୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନା ଥାଉକି, କିଛିଦିନ ତଳେ କଟକରେ ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ମିଳିଥିଲା। ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୁଲିସ। ଏହି ଘଟଣାରେ ଦୁଇ ଡିଷ୍ଟ୍ରିବ୍ୟୁଟର କଟକ ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସମ୍ପୃକ୍ତି ପଦାକୁ ଆସିଥିଲା। ଏହି ଦୁଇ ସଂସ୍ଥା ରାଜ୍ୟ ବାହାରୁ ନକଲି ଔଷଧ ଆଣି ଶହେରୁ ଅଧିକ ଦୋକାନ ଜରିଆରେ କାରବାର କରିଆସୁଥିଲେ।

ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ ଗ୍ଲେନମାର୍କର ତିନିଟି ଔଷଧ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ନକଲି ଔଷଧ ପ୍ରସ୍ତୁତ କରି ବିକ୍ରି କରୁଥିବା ଜଣା ପଡ଼ିଥିଲା। ପରେ ଓଡ଼ିଶା ଡ୍ରଗ କଣ୍ଟ୍ରେଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା ୩୦ ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରରୁ ଜବତ କରି ସାରିଛି। ଏହା ବ୍ୟତୀତ ଦୁଇଟି ପର୍ଯ୍ୟାୟରେ ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ମୋଟ ୪୦ ଲକ୍ଷ ଟଙ୍କାକୁ ଜବତ କରିଛି ପୁଲିସ।

କଟକର ଦୁଇ ଡ୍ରଗ୍ସ ଏଜେନ୍ସିର ଲାଇସେନ୍ସ ନେଇଥିବା ଚଞ୍ଚଲ ଜଲାନ ଏବଂ ବର୍ଷା କୟାଲଙ୍କ ନାଁ’ରେ ରହିଛି । ସେମାନେ କୋର୍ଟରୁ ଆଗୁଆ ଜାମିନ ଆଣିଛନ୍ତି। ନକଲି ଔଷଧ କାରବାରରେ ଏମାନେ କିଛି ନ ଜାଣି ଥାଇ ପାରନ୍ତି । ମାତ୍ର ତଦନ୍ତ ସମୟରେ ଆବଶ୍ୟକ ପଡିଲେ ପଚରା ଉଚରା କରାଯିବ ବୋଲି କହିଛନ୍ତି କଟକ ଡିସିପି।

Leave a Reply

Your email address will not be published. Required fields are marked *