ସୁନ୍ଦରୀଙ୍କୁ ଥୋପ କରି ରାଜଧାନୀରେ ଚାଲିଥିଲା ସାଇବର ଠକେଇ

Top Storise ରାଜ୍ୟ

ଭୁବନେଶ୍ୱର :  ସୁନ୍ଦରୀଙ୍କୁ ଥୋପ କରି ସାଇବର ଠକେଇ। ଏସ୍କର୍ଟ ସର୍ଭିସ୍‌ ନାଁରେ ରାଜଧାନୀରେ ଚାଲିଥିଲା ସାଇବର ଠକେଇ। ଗୁଗଲରେ ସୁନ୍ଦରୀଙ୍କ ଆଡ୍‌ ଦେଇ ଦିଆଯାଉଥିଲା ଏସ୍କର୍ଟ ସର୍ଭିସ୍‌ର ଅଫର୍‌। ଆଉ ସେଥିପାଇଁ ନେଉଥିଲେ ମୋଟା ଅଙ୍କର ଅର୍ଥ। କିନ୍ତୁ ଅନ୍‌ଲାଇନ୍‌ରେ ଟଙ୍କା ପାଇବା ପରେ ଧରାଛୁଆଁ ଦେଉ ନଥିଲେ। ଆଜି ଏପରି ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ୍‌। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ମାଷ୍ଟରମାଇଣ୍ଡ ନିଜ ପତ୍ନୀ ଓ ଦୁଇ ଯୁବତୀଙ୍କ ଜରିଆରେ ଚଳାଇଥିଲେ ଏହି କାରବାର। ଠକାମୀରେ ଶିକାର ହୋଇଥିବା ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଛି।

ଅଭିଯୋଗକାରୀଙ୍କ କହିବା ଅନୁସାରେ ସେ ଗୁଗଲ୍‌ରେ କିଛି ସର୍ଚ୍ଚ କଲା ବେଳେ ଜଣେ ସୁନ୍ଦରୀଙ୍କ ଫଟୋ ଥିବା ଏକ ବିଜ୍ଞାପନ ଆସିଥିଲା। ଆଉ ତା’ ତଳେ ରହିଥିଲା ଗୋଟିଏ ଫୋନ୍‌ ନମ୍ୱର। ସେହି ନମ୍ୱରରେ ସେ କଲ୍‌ କରିବାରୁ ଜଣେ ଯୁବତୀ ଫୋନ୍‌ ଉଠାଇଥିଲେ। ଆଉ ସେ ନିଜକୁ କାଜୋଲ୍‌ ସିଂହର ପରିଚୟ ଦେଇଥିଲେ। ଏହା ପରେ ସେ ହୋଟେଲ୍‌ରେ ଦିଆଯାଉଥିବା ସେବା ବିଷୟରେ ବଖାଣି ଥିଲେ। ସେକ୍ସ ପାଇଁ ଯୁବତୀ ଯୋଗାଇ ଦିଆଯାଉଥିବା କହିଥିଲେ। ଏଥିପାଇଁ ୨୭ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଫୋନ୍‌ ରିସିଭ୍‌ କରିଥିବା ଯୁବତୀ କାଜୋଲ୍‌ କହିଥିଲେ। ଏହା ପରେ ସେ ସଙ୍ଗେ ସଙ୍ଗେ ଅନ୍‌ଲାଇନ୍‌ରେ ଟଙ୍କା ପେମେଣ୍ଟ କରି ଦେଇଥିଲେ।

ଟଙ୍କା ପେମେଣ୍ଟ କରିବା ପରେ ଯୁବକ ଜଣକ ହୋଟେଲ୍‌ରେ ପହଞ୍ଚିଥିଲେ। ହେଲେ ହୋଟେଲରେ ତାଙ୍କ ନାଁରେ କୌଣସି ବୁକିଂ ହୋଇନଥିବା ଜାଣିବାକୁ ପାଇଥିଲେ। ଏହା ପରେ ନିରାଶ ହୋଇ ଘରକୁ ଫେରିଥିଲେ। ଠକେଇର ଶିକାର ହୋଇଥିବା ଜାଣି ଯୁବକ ଜଣକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଠକାମୀରେ ଶିକାର ହୋଇଥିବା ଯୁବକଙ୍କ ତଥ୍ୟ ଆଧାରରେ ସାଇବର ଥାନା ପୁଲିସ୍‌ ଖୋଳତାଡ କରି ଏହି ଠକ ଗ୍ୟାଙ୍ଗ ପାଖରେ ପହଞ୍ଚିଥିଲା। ପୁଲିସ୍‌ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୁଶାନ୍ତ ପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସୁଶାନ୍ତ ଓ ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୧୫ରୁ ଅଧିକ ଆକାଉଣ୍ଟ। ଯେଉଁଥିରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ସାଇବର ଥାନା ପୁଲିସ୍‌। ଏହା ଛଡ଼ା ୧୧ଟି ମୋବାଇଲ, ୨୦ରୁ ଅଧିକ ଏଟିଏମ୍‌ କାର୍ଡ, ୬୦ରୁ ଅଧିକ ସିମ୍‌କାର୍ଡ, ପାସ୍‌ବୁକ୍‌ ଆଦି ଜବତ କରାଯାଇଛି। ଏହି ଗ୍ୟାଙ୍ଗର ଅନେକ ସଦସ୍ୟ ଏବେ ଫେରାର ଅଛନ୍ତି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସୁଶାନ୍ତର ପତ୍ନୀ ଓ ଆଉ ଜଣେ ଯୁବତୀ ଏବେ ଫେରାର ଅଛନ୍ତି। ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *