ଭକୁଆ ହେଲେ ସାଇବର ଲୁଟେରା, ଭୁଆଁ ବୁଲାଇ ଦେଲେ ମହିଳା

Top Storise ରାଜ୍ୟ

ବ୍ରହ୍ମପୁର: ସାଇବର ଲୁଟେରାଙ୍କୁ ଭୁଆଁ ବୁଲାଇଲେ ମହିଳା। ମହିଳାଙ୍କଠାରୁ ଟଙ୍କା ଲୁଟ୍‌ କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଜାଲ ବିଛାଇ ସାରିଥିଲେ ସାଇବର ଲୁଟେରା। ହେଲେ କିଛି ବି ହାସଲ କରି ପାରିଲେନି। ଓଲଟା ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଜି ବ୍ରହ୍ମପୁର ସହରରେ ଘଟିଛି। ସାଇବର ଠକଙ୍କ କବଳରୁ ବର୍ତ୍ତି ଯାଇଥିବା ମହିଳାଜଣକ ହେଲେ ବ୍ରହ୍ମପୁରର କଳ୍ପନା ସେନାପତି ।

କଳ୍ପନାଙ୍କର ଭୁବନେଶ୍ୱରରେ ଏକ ଘର ଥିବା ବେଳେ ତାହାକୁ ଭଡ଼ା ଦେବାକୁ ସେ OLX ରେ ବିଜ୍ଞାପନ ଦେଇଥିଲେ। ଉକ୍ତ ବିଜ୍ଞାପନ ଦେଖି ତାଙ୍କ ନିକଟକୁ ବହୁ ଫୋନ୍‌ ଆସିଥିବା ବେଳେ ପଙ୍କଜ ଶର୍ମା ନାମକ ବ୍ୟକ୍ତି ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇ ଉକ୍ତ ଘର ଭଡ଼ା ନେବାକୁ ଆଗ୍ରହ ପ୍ରକାଶ କଲେ। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ସେ ନିଜ ପାନ୍‌ କାର୍ଡ, ଆଧାର କାର୍ଡ, ଆର୍ମି କ୍ୟାଣ୍ଟିନ କାର୍ଡ଼, ନିଜ ଫଟୋ, ଫ୍ୟାମିଲି ଫଟୋ ବି କଳ୍ପନାଙ୍କ ନିକଟକୁ ପଠାଇଥିଲେ।

ଏହାପରେ ଫୋନ୍‌ ପେ କିମ୍ବା ଗୁଗଲ ପେ ନମ୍ବର ଦେଲେ ସଙ୍ଗେ ସଙ୍ଗେ ଅଗ୍ରୀମ ଟଙ୍କା ପଠାଇବେ ବୋଲି କହିଲେ। ମାତ୍ର କଳ୍ପନା ଫୋନ୍‌ ପେ କିମ୍ବା ଗୁଗଲ ପେ ନ ଥିବା କହି ନେଟ୍‌ ବ୍ୟାଙ୍କିଂ ନମ୍ବର ଦେଇଥିଲେ। ଏଥିସହ ସେ ନିଜ ଆକାଉଣ୍ଟରୁ ସବୁ ଟଙ୍କା ନିଜ ସ୍ୱାମୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିବା ବେଳେ ମାତ୍ର ୫ ଶହ ଟଙ୍କା ରଖିଥିଲେ।

ସମ୍ପୃକ୍ତ ଆର୍ମି ଅଫିସର ପଙ୍କଜ ଶର୍ମା ଫୋନ୍‌ କରି ଅଫିସରୁ ଫୋନ୍‌ କରି ଟଙ୍କା ପଠାଯିବ ବୋଲି କହିଥିଲେ। ଏହାପରେ ଜଣେ ବ୍ୟକ୍ତି ଫୋନ୍‌ କରି ନେଟ୍‌ ବ୍ୟାଙ୍କିଂରେ ଟଙ୍କା ଯିବ ବୋଲି କହିଥିଲେ। ତେଣୁ କହିବାନୁଯାୟୀ ଗୋଟିଏ ପରେ ଗୋଟିଏ କ୍ଲିକ୍‌ ମାରିବାକୁ କହିଥିଲେ। ଏହାପରେ ଗୋଟିଏ ଓଟିପି ଯାଇଥିବା ବେଳେ ତାହାକୁ ଦେବା ସହ ୨୮ ହଜାର ଟଙ୍କା ପଠାଇବାକୁ କହିଥିଲେ। ମାତ୍ର ଠକାମୀର ଶିକାର ହେଉଥିବା ଜାଣି କଳ୍ପନା ଟଙ୍କା ପଠାଇ ନ ଥିଲେ କି ଓଟିପି ଦେଇ ନ ଥିଲେ। ଏପରିକି ସାଇବର ପୁଲିସ୍‌କୁ ସବୁ ଜଣାଇଦେବେ ବୋଲି ଧମକ ଦେଇଥିଲେ।

ଏହାପରେ ସାଇବର ଠକ କଳ୍ପନାଙ୍କ ନିକଟରୁ କିଛି ଟଙ୍କା ଲୁଟି ପାରି ନ ଥିବା ବେଳେ ଓହରି ଯାଇଥିଲେ। ଏପରିକି ଉକ୍ତ ବ୍ୟକ୍ତିଜଣକ ଦେଇଥିବା ସମସ୍ତ ପରିଚୟପତ୍ର ନକଲି ବୋଲି କଳ୍ପନା କହିବା ସହ ସେମାନେ ସାଇବର ଲୁଟେରା ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ତେବେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସାଇବର ଲୁଟେରାଙ୍କ କବଳରୁ କଳ୍ପନା ମୁକୁଳି ପାରି ଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ବୁଝି ବିଚାରି ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ କରିବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *