କେନ୍ଦୁଝର: ସବୁଠି ଏବେ ଚାଲିଛି ଚାକିରି ବିକ୍ରି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ବି ଏଥିରୁ ବାଦ ପଡ଼ିଲା ନାହିଁ। ଜିଲ୍ଲାର ଗର୍ବ ଓ ଗୌରବ କୁହାଯାଉଥିବା ଧରଣୀଧର ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଏପରି କିଛି ଘଟଣା। ଅଧ୍ୟାପକ ନିଯୁକ୍ତିକୁ ବିକି ମାଲେମାଲ ହେଇଗଲେ କୁଳପତି ଓ ରେଜିଷ୍ଟ୍ରାର ବୋଲି ଅଭିଯୋଗ ହୋଇଛି। ଖାଲି ଅଭିଯୋଗ ନୁହଁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ଯାହାକୁ ନେଇ ଶୁଣାଣିରେ କୁଳପତି ଉପସ୍ଥିତ ନଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ କୁଳପତି ଓ ରେଜିଷ୍ଟ୍ରାରଙ୍କୁ ପୁଲିସ୍ ଜରିଆରେ ନୋଟିସ୍ ଜାରି କରିଛନ୍ତି।
ଆବେଦନକାରୀ ନାରାୟଣ ଚନ୍ଦ୍ର ସାମଲଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏ ନିର୍ଦ୍ଦେଶ ଦେଇଛନ୍ତି। ୧୦ ଦିନ ଭିତରେ ନୋଟିସ୍ର ଜବାବ ରଖୁବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏମ୍ବିଏ, ଏମ୍ ବିଏ (ଏଫ୍ଏମ୍), ବିବିଏ ପରି ଅନେକ ବିଭାଗ ପାଇଁ ମନୋନୀତ ଅଧ୍ୟାପକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାୟର କରିଥିଲେ।
ଏହି ନିଯୁକ୍ତି ପ୍ରକ୍ରିୟାରେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଛି ଓ ମେଧା ତାଲିକାରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ, ଜଣେ ଅଧିକାରୀଙ୍କ ଇଚ୍ଛା ଅନୁସାରେ ଏହା କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଆବେଦନକାରୀ ଏହି ପଦ ଲାଗି ନିଜକୁ ଉପଯୁକ୍ତ ଦାବି କରିବା ସହ ତାଙ୍କୁ ନିଯୁକ୍ତି ଦେବାକୁ ନେଇ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଅଦାଲତ ୨୦୨୫ ଅଗଷ୍ଟ ୪ରେ ମାମଲାର ଶୁଣାଣି କରି ଆବେଦବେଦନକାରୀଙ୍କ ଅଭିଯୋଗ ଉପରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ କୁଳପତି ଓ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶ୍ଵବିଦ୍ୟାଳୟ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ନିଷ୍ପତ୍ତି ନନେବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି।

