ଖନନ ବେଳେ ମନ୍ଦିର ଗର୍ଭଗୃହରୁ ମିଳିଲା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି

Top Storise ରାଜ୍ୟ

ଭୁବନେଶ୍ୱର : ମାଟି ତଳୁ ବାହାରିଲା ୧୪ ଶହ ବର୍ଷର ଭାସ୍କର୍ଯ୍ୟ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି । ଶାରୀ ମନ୍ଦିର ପରିସରରୁ  ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି।

ଗତକାଲି ଖନନ ସମୟରେ ମନ୍ଦିର ଗର୍ଭଗୃହରୁ ଚର୍ତୁଭୂଜା ଥିବା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି ।  ଏହାସହ ମନ୍ଦିର ପରିସରରୁ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ବି ମିଳିଛି । ଏହି ମୂର୍ତ୍ତି ଷଷ୍ଠ କିମ୍ବା ସପ୍ତମ ଶତାବ୍ଦୀର ହୋଇଥିବା ଜଣାପଡ଼ିଛି ।

ଏକାମ୍ର କ୍ଷେତ୍ରର ମା‌ଟି ତଳେ ରହିଛି ପ୍ରାୟ ୧୪ ଶହ ବର୍ଷର ଭାସ୍କର୍ଯ୍ୟ । ଶୁକଶାରି ମନ୍ଦିର କଡ଼ରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ଦ୍ବାରା ଚାଲିଥିବା ଖନନ ବେଳେ ଏହି ତଥ୍ୟ ପ୍ରମାଣିତ ହୋଇଛି।  ଏହି ମୂର୍ତ୍ତିଦ୍ବୟର ନିର୍ମାଣ ଶୈଳୀରୁ ଏହା ଷଷ୍ଠ ଶତାବ୍ଦୀର ବା ପ୍ରାୟ ୧୪ ଶହ ବର୍ଷ ତଳର ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଏଠାରୁ ଏକ ବିଷ୍ଣୁ ମୂର୍ତ୍ତି ମଧ୍ୟ ମିଳିଥିଲା।ଆଜି ମିଳିଥିବା ମହିଷା ମର୍ଦ୍ଦିନୀ ମୂର୍ତ୍ତି ଏକ ମନ୍ଦିରର ଗର୍ଭଗୃହରୁ ବାହାରିଛି। ଗର୍ଭଗୃହରୁ ମିଳିଥିବାରୁ ଏକଦା‌ ଏହି ମୂର୍ତ୍ତି ପୂଜା ପାଉଥିବା ଅନୁମାନ କରାଯାଉଛି। ତେଣୁ ଶୁକଶାରି ମନ୍ଦିର ନିକଟରେ ଏହି ମନ୍ଦିରଟି ମା’ ଦୁର୍ଗାଙ୍କର ବୋଲି ଚର୍ଚ୍ଚା ହେଉଛି।

ତେବେ ପୂରା ଖନନ ନହେବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଭାବେ କହିବା କାଠିକର ବୋଲି ସ୍ଥାନୀୟ ପୁରୁଖା ଲୋକମାନେ କହିଛନ୍ତି। ୨୦୨୧ ଡିସେମ୍ବର ୧୨ତାରିଖରେ ଏଠାରେ ଖନନ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା। ଉକ୍ତ ମନ୍ଦିରଟି ପଶ୍ଚିମ ମୁହାଁ ହୋଇ ରହିଥିଲା।

ସେହିପରି ଗତ ୨୦୨୧ ଅକ୍ଟୋବର ୩୦ ତାରିଖରେ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା। ପୂର୍ବରୁ ଏକ ଶିବ ଲିଙ୍ଗ ମଧ୍ୟ ଉଦ୍ଧା‌ର କରାଯାଇଥିଲା। ଖନନ ଭିତରେ ଦୁଇଟି ମନ୍ଦିରର ବେସ୍ ବାହରିଥିଲା। ତେଣୁ ବର୍ତ୍ତମାନ ସୁଦ୍ଧା ଏଠାରେ ମାଟିତଳୁ ସମୁଦାୟ ୪ଟି ଭଗ୍ନ ମନ୍ଦିର ବାହାରି ସାରିଲାଣି।

Leave a Reply

Your email address will not be published. Required fields are marked *