ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ କେନ୍ଦୁଝରର ଜିସିଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ଓ୍ବାର୍ଲଡ ସ୍କିଲ୍ ସେଣ୍ଟରରେ ୩ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଦୁଇଟି ଇଞ୍ଜିନିୟରିଂ କଲେଜରେ ଟେକ୍ ମହିନ୍ଦ୍ରା ଓ ଡାସୌଲ୍ଟ ସିଷ୍ଟମ ଇଣ୍ଡିଆ ସହ ୩ଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ଏମଓୟୁ ସ୍ବାକ୍ଷର ହୋଇଛି ।
ଏହି ଦୁଇ କଲେଜରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବାରେ ସହାୟକ ହେବ । ନୂଆ ଦିଗନ୍ତ ପ୍ରଦାନ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉତ୍କର୍ଷ କେନ୍ଦ୍ର ଶିକ୍ଷାର୍ଥୀଙ୍କୁ ନୂଆ ଜ୍ଞାନକୌଶଳ ସହ ଉନ୍ନତମାନର ପ୍ରଶିକ୍ଷଣ ଦେବାରେ ସହାୟକ ହେବ । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ଭାବେ ଛିଡା ହେବା ସହ ପରବର୍ତ୍ତୀ ସମୟରେ ସାଇବର ସିକ୍ୟୁରିଟି ଓ କ୍ଲାଉଡ କମ୍ପ୍ୟୁଟିଂ ମାଧ୍ୟମରେ ତଥ୍ୟ ସୁରକ୍ଷିତ ରହିପାରିବ ।