ନୂଆଦିଲ୍ଲୀ: ଦେଶବାସୀଙ୍କୁ ଦରଦାମ ବୃଦ୍ଧିରୁ କୌଣସି ପ୍ରକାରର ନିସ୍ତାର ମିଳୁନାହିଁ। ଦିନକୁ ଦିନ ମହଙ୍ଗା ମାଡ଼ର କଷ୍ଟ ବଢ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ବା ମହଙ୍ଗା ଦର .୪୧% ବଢ଼ି ୭.୪୧%ରେ ପହଞ୍ଚି ଯାଇଛି। ଏହା ଚଳିତ ବର୍ଷ ଏପ୍ରିଲ ମାସ ପରେ ସବୁଠାରୁ ଅଧିକ।
ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭% ରହିଥିଲା। ଖୁଚୁରା ମହଙ୍ଗା ଦର ଜୁଲାଇରେ ୬.୭୧% ଓ ଗତବର୍ଷ ଅଗଷ୍ଟରେ ଏହା ୫.୩% ରହିଥିଲା। ଖାଦ୍ୟଶସ୍ୟ ଓ ପନିପରିବା ଦର ଦ୍ରୁତଗତିରେ ବଢ଼ୁଥିବାରୁ ମୁଦ୍ରାସ୍ଫୀତି ହାର ମଧ୍ୟ ବଢ଼ିବାରେ ଲାଗିଛି।
ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରେ ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଜାତୀୟ ସୂଚକାଙ୍କ ଅଫିସ ଜାରି କରିଥିବା ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ ଗ୍ରାହକ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି(ସିପିଆଇ) ୭.୪୧%ରେ ପହଞ୍ଚି ଯାଇଛି। ଅଗଷ୍ଟ ମାସରେ ଏହା ୭% ରହିଥିଲା। ଏହାର ଅର୍ଥ ସେପ୍ଟେମ୍ବର ମାସରେ ଖାଦ୍ୟ ସାମଗ୍ରୀ ଓ ପାନୀୟ ସାମଗ୍ରୀର ଦାମ ବୃଦ୍ଧି ପାଇଛି। ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସେପ୍ଟେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୬୦%ରେ ପହଞ୍ଚି ଯାଇଛି। ଅଗଷ୍ଟରେ ଏହା ୭.୬୨% ଥିଲା।
କ୍ରମାଗତ ୯ମ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳ ସ୍ତର ୬%ରୁ ଅଧିକ ରହିଛି। ଅଗଷ୍ଟରେ ଏହା ୭% ରହିଥିବା ବେଳେ ୨୦୨୧ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୪.୩୫% ରହିଥିଲା।
ମୁଦ୍ରାସ୍ଫୀତି ବଢ଼ୁଥିବାରୁ ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏଥିପାଇଁ ଆରବିଆଇ ରେପୋ ରେଟକୁ ୫.୯%କୁ ବୃଦ୍ଧି କରିଛି। ଏହା ୩ ବର୍ଷ ମଧ୍ୟରେ ସର୍ବାଧିକ। ରେପୋ ରେଟ ବଢ଼ିବାର ଅର୍ଥ ଲୋକଙ୍କୁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡ଼ିବ। ଏବେ ମୁଦ୍ରାସ୍ଫୀତି ଆହୁରି ବଢ଼ିବାରୁ ଆରବିଆଇ ଅର୍ଥନୀତିକୁ ସଜାଡ଼ିବା ପାଇଁ ଆହୁରି କିଛି କଠୋର ପଦକ୍ଷେପ ନେବାର ଆଶଙ୍କା ରହିଛି।