କଟକ : ବନ୍ଧା ହେଲେ ଧଳସାମନ୍ତ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ । ଓମ୍ ଓ ଦିପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁକୁ ଗିରଫ କରିଛି ପୋଲିସର ସ୍ପେଶାଲ ସ୍କ୍ବାଡ୍ । ୫ ବର୍ଷ ହେଲା ଫେରାର ଥିଲା ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ଦିଲୁ । ତାଠାରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ୍ ଜବତ କରିଛି ପୋଲିସ । ଧଳସାମନ୍ତ ବ୍ରଦର୍ସଙ୍କ ଡାହାଣ ହାତ ଥିଲା ପ୍ରଦୀପ ସାହୁ । ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଦୁର୍ଦ୍ଦାନ୍ତ ଅପରାଧୀ ଦିଲୁକୁ ପୋଲିସ ରାୟଗଡାରୁ ଗିରଫ କରିବାରେ ସଫଳ ହୋଇଛି । ୨୦୧୩ ମସିହାରେ ଚାଉଳିଆଗଞ୍ଜର ଓମ୍ ଓ ଦିପୁକୁ ଧଳସାମନ୍ତ ବ୍ରଦର୍ସଙ୍କ ନିର୍ଦ୍ଦେଶରେ ଘରୁ ଡାକି ଅପହରଣ କରି ନେଇଥିଲେ ଦିଲୁ ଓ ଅନ୍ୟ ସହଯୋଗୀ । ପରେ ଦୁଇ ଜଣଙ୍କୁ ହତ୍ୟା କରି ରାଜ୍ୟ ବାହାରେ ଏକ ନିଛାଟିଆ ସ୍ଥାନରେ ପୋଡି ଦିଆଯାଇଥିଲା । ୨୦୧୬ରେ ମାମଲାର ତଦନ୍ତ ହେବା ପରେ ଫେରାର ହୋଇଯାଇଥିଲା ଦିଲୁ । ସେବେଠାରୁ ସେ ଜଗତସିଂହପୁର, ପୁରୀ, ଭଦ୍ରକ ହୋଇ ରାୟଗଡାରେ ଲୁଚି ଥିଲା । ହେଲେ ଦିଲୁରୁ ଗତିବିଧି ଉପରେ ନଜର ରଖିଥିଲା ପୋଲିସ ।
ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ ଦିଲୁକୁ ରାୟଗଡାରୁ ଗିରଫ କରିବା ସହ ତାପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ ଜବତ କରିଥିଲା । ଧଳସାମନ୍ତ ଗ୍ୟାଙ୍ଗର ଫେରାର ଥିବା ଆଉ କିଛି ଅପରାଧୀଙ୍କୁ ଗିରଫ କରିବା ପାଇଁ ଯୋଜନା ଚାଲିଛଇ ବୋଲି କହିଛନ୍ତି ପୋଲିସ କମିଶନର । ବିଭିନ୍ନ ଅପରାଧରେ ଧଳସାମନ୍ତ ବ୍ରଦର୍ସଙ୍କ ଅପରାଧ ପଦାକୁ ଆସିବା ପରେ ଏ ପର୍ଯ୍ୟନ୍ତ ପୋଲିସ ୧୨ ଜଣକୁ ଗିରଫ କରି ସାରିଲାଣି ।