ଆଗାମୀ ୪ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ପ୍ରଭାବ । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ନୟାଗଡ଼, ଗଂଜାମ ଓ ନବରଙ୍ଗପୁରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବି ବହିପାରେ । ୨୯ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।
ବଢୁଛି ସୁବର୍ଣ୍ଣରେଖା
ରାଜଘାଟରେ ପୁଣି ବଢ଼ିଲା ଜଳସ୍ତର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଏବେ ରାଜଘାଟରେ ଜଳସ୍ତର ରହିଛି ୧୦.୭୦ ମିଟର । ସେଠାରେ ବିପଦ ସଙ୍କେତ ସ୍ତର ରହିଛି ୧୦.୩୬ ମିଟର । ଥରେ କି ଦୁଇ ଥର ନୁହେଁ । ସୁବର୍ଣ୍ଣରେଖା ନଦୀରେ ପାଞ୍ଚ ପାଞ୍ଚ ଥର ବନ୍ୟା ଆସିଲାଣି । ଫଳରେ ପ୍ରଭାବିତ ହୋଇଛି ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଶତାଧିକ ଗାଁ ।
ବନ୍ୟାଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ମନ୍ତ୍ରୀ
ଗ୍ରାଉଣ୍ଡରେ ସରଜମିନ ଅନୁଧ୍ୟାନ କରିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଯାଜପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ବୁଲି ଦେଖିବେ ସ୍ଥିତି । ବୈତରଣୀର ଶାଖା ନଦୀ କାଣିରେ ଘାଇ ସୃଷ୍ଟି ହେବାରୁ ଏକାଧିକ ପଞ୍ଚାୟତର ୩୦-୪୦ ଗାଁ ପ୍ରଭାବିତ ହୋଇଛି । ସେଠାକୁ ଯିବେ ରାଜସ୍ବ ମନ୍ତ୍ରୀ । ପାଣି କମିବା ପରେ ପରେ ଘାଇ ମରାମତି ହେବ । ଯେତେଶୀଘ୍ର ହେବ ଘାଇ ମରାମତି କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ଓ ତୁରନ୍ତ ବିପନ୍ନଙ୍କୁ ସହାୟତା ଦିଆଯିବ । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

