ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ବିଦ୍ରୋହୀ। ଟିକେଟ ପାଇ ନ ଥିବା ଦଳୀୟ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮୨ ଆସନରୁ ୧୬୦ଟି ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ଏହି ସମୟରେ ଦଳ ୩୮ ଜଣ ନେତାଙ୍କ ଟିକେଟ କାଟି ଦେଇଛି। ଏହାକୁ ନେଇ ଅସନ୍ତୋଷ ବଢ଼ୁଛି। ତେଣୁ ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦଳ ପ୍ରତି ଆନୁଗତ୍ୟ ରଖିଥିବା ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି।
ବିଦ୍ରୋହୀଙ୍କ ସହ ବେଶ ସ୍ନେହ ଓ ଆଦର ସହ କଥାବାର୍ତ୍ତା କରି ସ୍ଥିତିକୁ ସ୍ୱାଭାବିକ କରିବାକୁ ସେ ମନ୍ତ୍ର ଦେଇଛନ୍ତି। ଏଥିସହ ସେ ବିଦ୍ରୋହୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ମଧ୍ୟ କହିଛନ୍ତି।
ଦିନକ ପୂର୍ବରୁ ଗାନ୍ଧିନଗରର କମାଲାମରେ ବିଜେପି ନେତା ଓ କର୍ମୀମାନେ କିଛି ଆସନରେ ପ୍ରାର୍ଥୀ ଚୟନକୁ ବିରୋଧ କରି ଦଳୀୟ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ବିଦ୍ରୋହୀଙ୍କୁ ବୁଝାଇବା ପାଇଁ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ନେଇ ଗୋଟିଏ ଟିମ ଗଠନ କରାଯାଇଛି।
ଟିମରେ ଥିବା ସଦସ୍ୟମାନେ ବିଦ୍ରୋହୀଙ୍କ ପାଖକୁ ଯାଇ ସେମାନଙ୍କ ସହ ଆଲୋଚନା କରିବେ। ସେମାନଙ୍କୁ ବୁଝାଇବା ପାଇଁ ଟିମର ସଦସ୍ୟମାନେ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ଦୀର୍ଘ ୨୭ ବର୍ଷ ହେଲା ବିଜେପି ଗୁଜରାଟରେ କ୍ଷମତାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହୋମ ଷ୍ଟେଟ ହେଉଛି ଗୁଜରାଟ। ତଥାପି ଦଳ ଏଥର ବିଜୟ ନେଇ ସମାନ୍ୟ ଶଙ୍କାରେ ରହିଛି। ଏପରି ସ୍ଥିତିରେ ଦଳୀୟ ନେତାଙ୍କ ବିଦ୍ରୋହ ଦଳକୁ ଆହୁରି ଚିନ୍ତାରେ ପକାଇଛି।
ତେଣୁ ତୁରନ୍ତ ବିବାଦର ସମାଧାନ ପାଇଁ ନିଜେ ଅମିତ ଶାହ ବରିଷ୍ଠ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଗତ ରବିବାର ଅମିତ ଶାହ ଗୁଜରାଟର ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ। ଗୁଜରାଟ ନିର୍ବାଚନ ପାଇଁ ରଣନୀତି କ’ଣ ରହିବ, ସେ ବିଷୟରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା ହୋଇଥିଲା।
ପ୍ରାୟ ୫ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ସମୟରେ ଅମିତ ଶାହ ବିଦ୍ରୋହ ଘୋଷଣା କରୁଥିବା ନେତାଙ୍କ ସହ ଅତ୍ୟନ୍ତ ସ୍ନେହ ଓ ଆଦରର ସହ କଥାବାର୍ତ୍ତା କରି ସେମାନଙ୍କୁ ବୁଝାଇବାକୁ କହିଛନ୍ତି। କାରଣ ବିଦ୍ରୋହ ଘୋଷଣା କରିଥିବା ଅନେକ ନେତା ଦୀର୍ଘ ବର୍ଷ ହେଲା ବିଜେପି ସହ ଜଡ଼ିତ ରହିଛନ୍ତି। ତେଣୁ ସେମାନଙ୍କ ସହ ବେଶ ଭଲ ଭାବେ ଡିଲ୍ କରିବାକୁ ସେ ରାଜ୍ୟସ୍ତରୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ବିଜେପିରୁ ଟିକେଟ ପାଇ ନଥିବା ଏକାଧିକ ବିଧାୟକ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।