ନୂଆଦିଲ୍ଲୀ: ଜି୭ ଶିଖର ସମ୍ମିଳନୀରେ ଭାଗଦେଇ ଜର୍ମାନିରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜର୍ମାନୀ ଛାଡିବା ବେଳେ ଟୁଇଟ କରି କହିଛନ୍ତି ଯେ ଜି-7 ବୈଠକ ବେଶ ଫଳପ୍ରଦ ହୋଇଛି ।
ସମ୍ମିଳନୀରେ ବିଶ୍ବ ର ଅନେକ ନେତାଙ୍କ ସହ ଯୋଗାଯୋଗ କରିଥିଲେ ମୋଦି । ମୋଦି ଲେଖିଛନ୍ତି ମ୍ୟୁନିଚରେ ଏକ ସ୍ମରଣୀୟ ସଭାରେ ଭାଗ ନେବା ସହ ପୃଥିବୀ ର ସୁସ୍ଥତା ଏବଂ ସମୃଦ୍ଧତାକୁ ଲକ୍ଷ୍ୟ କରି ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସମର୍ଥ ହେଲୁ । ଭ୍ରମଣ ସମୟରେ ଆତିଥ୍ୟ ପାଇଁ ମୁଁ ଜର୍ମାନୀବାସୀ ଏବଂ ଜର୍ମାନ ସରକାରଙ୍କୁ ଧନ୍ୟବାଦ ଦେଉଛି । ମୁଁ ନିଶ୍ଚିତ ଯେ ଭାରତ-ଜର୍ମାନୀ ବନ୍ଧୁତା ଭବିଷ୍ୟତରେ ନୂତନ ଉଚ୍ଚତା ଛୁଇଁବ ।
ଶିଖର ସମ୍ମିଳନୀର ଅଧିବେଶନ କାଳରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିଥିଲେ ମୋଦି । ଏହା ସହ ଜି-୭ ଅଂଶଗ୍ରହଣକାରୀ ଦେଶ ଓ ଅତିଥି ଦେଶ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ମୋଦି ।
ଜର୍ମାନୀ ଗସ୍ତ କାଳରେ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରି ଭାଷଣ ଦେଇଥିଲେ ମୋଦି ।
ଭାରତ ଫେରିବା ବାଟରେ ୟୁଏଇ ରାଜଧାନୀ ଆବୁଧାବିରେ ଅଳ୍ପ ସମୟ ପାଇଁ ଆଜି ରହିବେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଅଟକି ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖାଲିଫାବିନ ଜାୟେଦ ଆଲ ନାହ୍ୟାନଙ୍କ ଶୋକ ସନ୍ଦେଶ ବ୍ୟକ୍ତିଗତ ଭାବେ ଜଣାଇବେ ମୋଦି ।
ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏବେ ୟୁଏଇରେ ଅଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଦେଖା ସାକ୍ଷତ ହେବ କି ନାହିଁ ତାହା ଜଣାପଡିନାହିଁ ।