ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’। କମୁଛି ପ୍ରସବ ଜନିତ ମାତୃ ମୃତ୍ୟୁ ସଂଖ୍ୟା । ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି । ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟାର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ଏକ ସମୀକ୍ଷା କରାଯାଇଥିଲା। ଏଥିରେ ୨୦୨୦ ମେ’ ମାସରୁ ୨୦୨୧ ଏପ୍ରିଲ – ଏହି ୧୨ ମାସ ଭିତରେ ମାତୃ ମୃତ୍ୟୁ ସଂଖ୍ୟାକୁ ହିସାବକୁ ନିଆଯାଇଥିଲା । ଏଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଣାପଡ଼ିଛି ଯେ, ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସୁଫଳ ମିଳୁଛି ।
୨୦୨୦ ମେ’ରୁ ଅକ୍ଟୋବର – ଏହି ୬ ମାସ ଭିତରେ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟା ରହିଥିଲା ୧୯ । ତେବେ ୨୦୨୦ ନଭେମ୍ବରଠାରୁ ୨୦୨୧ ଏପ୍ରିଲ, ୬ ମାସ ମଧ୍ୟରେ ଏହି ସଂଖ୍ୟା ୯କୁ ଖସି ଆସିଛି। ଆଉ ଏକ ଖୁସିର କଥା ହେଉଛି ଯେ, ୨୦୨୧ ଜାନୁୟାରୀ ଏବଂ ମାର୍ଚ୍ଚ, ଏହି ଦୁଇ ମାସରେ ମାତୃ ମୃତ୍ୟୁ ସଂଖ୍ୟା ଶୂନ ରହିଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ ଅଧୀନରେ ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁନିଶ୍ଚିତ କରାଇବା ହେଉଛି ଏହାର ମୂଳ ଲକ୍ଷ୍ୟ।
ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଆରମ୍ଭ କରାଯାଇଛି। ଏହା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଛି। ଏଥିପାଇଁ ୭ଟି ସରକାରୀ ଡାକ୍ତରଖାନା ଓ ୪୫ଟି ଘରୋଇ କ୍ଲିନିକକୁ ପ୍ରଶାସନ ପକ୍ଷରୁ ଅନୁବନ୍ଧିତ କରାଯାଇଛି।
କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଜୁଲାଇ ପହିଲାରୁ ଏହା ପୁଣିଥରେ କାର୍ଯ୍ୟକାରୀ ହେଉଛି। ଏହି ସେବା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ଗର୍ଭବତୀ ମା’ମାନଙ୍କର ୧୯ ହଜାର ୫୦୦ରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି। ମାତୃଜ୍ୟୋତି କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କ ସହ ଗାଁ କଲ୍ୟାଣ ସମିତି ଏବଂ ସ୍ଥାନୀୟ ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି।