ଆନ୍ଧ୍ର-ଓଡ଼ିଶା ସୀମାରେ ହାଇ ଆଲର୍ଟ

Top Storise ଦେଶ- ବିଦେଶ

ବିଶାଖାପାଟଣା: ଆନ୍ଧ୍ର-ଓଡ଼ିଶା ସୀମାରେ ହାଇ ଆଲର୍ଟ। ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ସମସ୍ତ ସଡ଼କପଥରେ ଏଭଳି ସତର୍କତା ଜାରି କରାଯାଇଛି। ବିନା ପରିଚୟପତ୍ରରେ ସୀମା ପାର ମନା କରାଯାଇଛି। ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏଭଳି କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଛି।

ସୂଚନା ମୁତାବକ, ଚଳିତ ମାସର ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ତେଣୁ ହିଂସାକାଣ୍ଡ ଘଟିବା ଆଶଙ୍କା କରି ପୁଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆନ୍ଧ୍ର-ଓଡ଼ିଶା ସୀମା ଦେଇ ଯାଉଥିବା ପ୍ରତ୍ୟେକ ଯାନବାହାନ ଯାଞ୍ଚ କରାଯାଉଛି। ସ୍ଥାନୀୟ ବାସିନ୍ଦା ହୁଅନ୍ତୁ ଅବା ଯାତ୍ରୀ ଯାତାୟତ ବେଳେ ପ୍ରତ୍ୟେକଙ୍କ ପରିଚୟ ଯାଞ୍ଚ କରାଯାଉଛି।

ଆନ୍ଧ୍ରପ୍ରଦେଶର ସୀମାରେ ଥିବା ଆଲୁରି ସୀତାରାମରାଜୁ ଜିଲ୍ଲାର ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୁଲିସ ଓ ସିଆରପିଏଫ୍ ବାହିନୀ ଯାଞ୍ଚରେ ମୁତୟନ ହୋଇଛନ୍ତି। ମାଓ ଅପରେସନ ଚାଲିଥିବା ବେଳେ ଅଗମ୍ୟ ଅଞ୍ଚଳରେ ଡ୍ରୋନ କ୍ୟାମେରା ଜରିଆରେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି।

ଏହି ସମୟରେ ସମସ୍ତ ଅଘଟଣକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୁଲିସ ସଂପୂର୍ଣ୍ଣ ସତର୍କ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *